ଭୁବନେଶ୍ୱର, ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସୋମବାର ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ରାଜ୍ୟବ୍ୟାପୀ ଲଘୁଚାପଜନିତ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିର ଆକଳନ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା ରାଜ୍ୟର ସାମଗ୍ରୀକ ସ୍ଥିତି ବିଷୟରେ ସୂଚନା ଦେଇଥିଲେ। ସମୀକ୍ଷାରେ ମୁଖ୍ୟତଃ ମାଲକାନଗିରି, ଯାଜପୁର, ଢେଙ୍କାନାଳ, ଦେବଗଡ଼, କେନ୍ଦ୍ରାପଡ଼ା, ସୋନପୁର, ଭଦ୍ରକ, ବୌଦ୍ଧ ଓ ବରଗଡ଼ ଆଦିର ଜିଲ୍ଲାପାଳମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାସ୍ତବ ସ୍ଥିତି ବିଷୟରେ ସଦ୍ୟତମ ସୂଚନା ଦେଇଥିଲେ। ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ବିବରଣୀ ଅତିଶୀଘ୍ର ଏସଆରସିଙ୍କୁ ଜଣାଇବା ଲାଗି ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାବ୍ୟତୀତ ଆଗାମୀ ୧୮ ତାରିଖ ବେଳକୁ ପୂର୍ବାନୁମାନ କରାଯାଇଥିବା ସମ୍ଭାବ୍ୟ ଲଘୁଚାପ ବର୍ଷା ପାଇଁ ପୂର୍ଣ୍ଣ ସଜାଗ ଓ ପ୍ରସ୍ତୁତ ରହିବାକୁ ମୁଖ୍ୟ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଏସଆରସି ଶ୍ରୀ ଜେନା କହିଥିଲେ, ଗତ ଜୁନ୍ ମାସରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ ଜୁଲାଇ ମାସରେ ଶତକଡ଼ା ୩୫ ଭାଗ କମ୍ ବର୍ଷା ହୋଇଥିଲା। ଅଗଷ୍ଟ ୧ ତାରିଖରୁ ଆଜି ସୁଦ୍ଧା ରାଜ୍ୟରେ ବୃଷ୍ଟିପାତ ସ୍ୱାଭାବିକ ଠାରୁ ୩୨ ପ୍ରତିଶତ ଅଧିକ ହୋଇଛି। ସାଧାରଣ ଭାବେ ଅଗଷ୍ଟ ୧ ତାରିଖରୁ ୧୭ ତାରିଖ ମଧ୍ୟରେ ହାରାହାରି ୧୯୫ ମିମି ବର୍ଷା ହେଉଥିବାବେଳେ ଚଳିତବର୍ଷ ୨୫୭ମିମି ବର୍ଷା ହୋଇଛି। ଏହା ଜୁଲାଇରେ ହୋଇଥିବା କମ୍ ବୃଷ୍ଟିପାତକୁ ପ୍ରାୟ ଭରଣା କରିଛି। ତେବେ ୧୦ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଫଳରେ ଗମନାଗମନ ସାମୟିକ ଭାବେ ବାଧାପ୍ରାପ୍ତ ହେବା ସହ ଚାଷଜମି ଓ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଛି। ସେହିପରି ସମୀକ୍ଷାରୁ ଜଣାପଡ଼ିଛି ଯେ, ଲଘୁଚାପ ଯୋଗୁଁ ୧୩ ତାରିଖରୁ ମାଲକାନଗିରିରେ ସର୍ବାଧିକ ୪୬୩ ମିମି, ଯାଜପୁରରେ ହାରାହାରି ୨୬୩ ଏବଂ ଢେଙ୍କାନାଳରେ ହାରାହାରି ୨୦୦ ମିମି ବର୍ଷା ହୋଇଥିଲା। କେତେକ ବ୍ଲକ୍ରେ ଅତିପ୍ରବଳ ବର୍ଷା ଯୋଗୁଁ କ୍ଷୟୟତି ହୋଇଛି। ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବ୍ଲକ୍ର ଘୁଙ୍ଗୁଟିପଲ୍ଲୀରେ ଏକ ପୁରୁଣା ପରିତ୍ୟକ୍ତ କଚ୍ଚାଘରର କାନ୍ଥ ପଡ଼ିଯିବା ଯୋଗୁଁ ୨ଜଣ ଆହତ ହୋଇଥିଲେ। ସେଥିରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ବିଭିନ୍ନ ଜିଲ୍ଲାରେ ପ୍ରାୟ ୨୦୦ କଚ୍ଚାଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି ଏବଂ ଗୋଟିଏ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। କେତେକ ପଞ୍ଚାୟତରେ ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଦୃଷ୍ଟି ଆକଳନରୁ ପ୍ରାୟ ୨୭୧ ହେକ୍ଟର ଚାଷଜମି ବର୍ଷା ପାଣିରେ ବୁଡ଼ି କ୍ଷତିଗ୍ରସ୍ତ ହୋଇଛି ବୋଲି ଜଣାପଡ଼ିଛି। ଜିଲ୍ଲାପାଳ ଏବଂ ତହସିଲଦାରମାନେ କ୍ଷୟକ୍ଷତିର ଆକଳନ ଆରମ୍ଭ କରିଛନ୍ତି। ବର୍ଷା ଯୋଗୁଁ କେତେକ ରାସ୍ତାର ନିମ୍ନ କଜ୍ୱେ ଏବଂ ତଳୁଆ ପୋଲ ପାଣିରେ ବୁଡ଼ି ଯାଇଥିଲା। ଆଜି ପୂର୍ବାହ୍ନ ସୁଦ୍ଧା କେବଳ ବାଲିମେଳା ବ୍ଲକ୍ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ଗମନାଗମନ ସ୍ୱାଭାବିକ ହୋଇଛି। ମୋଟାମୋଟି ଭାବେ ଲଘୁଚାପଜନିତ ବର୍ଷା ଯୋଗୁଁ ରାଜ୍ୟର ସାମଗ୍ରୀକ ସ୍ଥିତି ସ୍ୱାଭାବିକ ଅଛି। ଏହି ବୃଷ୍ଟିପାତ ଚାଷକାମରେ ସହାୟକ ହେବ। ଆଗାମୀ ଦିନରେ ସମ୍ଭାବ୍ୟ ଲଘୁଚାପଜନିତ ବର୍ଷା ଓ ବନ୍ୟା ପାଇଁ ଜିଲ୍ଲା ଏବଂ ବ୍ଲକ୍ ପ୍ରଶାସନମାନେ ସମ୍ପୂର୍ଣ୍ଣ ସଜାଗ ଓ ପ୍ରସ୍ତୁତ ଅଛନ୍ତି ବୋଲି ବୈଠକରୁ ଜଣାପଡ଼ିଥିଲା। ଅତିରିକ୍ତ ରିଲିଫ୍ କମିଶନର ପ୍ରଭାତ ମହାପାତ୍ରଙ୍କ ସମେତ ସମ୍ପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ।