ସ୍ୱାଭାବିକ ହେଉଛି ଅର୍ଥନୀତି : ଜୀବିକା ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଏପ୍ରିଲ-ଅଗଷ୍ଟରେ ୧୭୫୧୪ କୋଟିର ୨୦୦ ନୂଆ ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: କୃଷି, ଶିଳ୍ପ, ଭିତ୍ତିଭୂମି ଆଦି ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ସମୀକ୍ଷା କରି ଜୀବିକା ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି। ସବୁ ବିଭାଗର ଜୀବିକା ସୃଷ୍ଟି କାର୍ଯ୍ୟକ୍ରମ ଗୁଡିକୁ ଜୋରଦାର କରିବା ସହ କୌଣସି କ୍ଷେତ୍ରରେ ଅସୁବିଧା ଥିଲେ, ତାକୁ ତୁରନ୍ତ ଦୂର କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ସେହିପରି ଜିଲ୍ଲା ପର୍ଯ୍ୟବେକ୍ଷକମାନେ ମଧ୍ୟ ଜିଲ୍ଲା ଗସ୍ତ ସମୟରେ ଜୀବିକା କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଶିଳ୍ପ ଓ ଏମଏସଏମଇ କ୍ଷେତ୍ରରେ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ପୂର୍ଣ୍ଣସ୍ତରରେ କାର୍ଯ୍ୟକ୍ଷମ କରିବା ପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୌଣସି ଶିଳ୍ପକ୍ଷେତ୍ରରେ ଯଦି କିଛି ଅସୁବିଧା ଥାଏ, ତେବେ ତାକୁ ତୁରନ୍ତ ପ୍ରାଥମିକତା ଭିତ୍ତିରେ ଦୂର କରିବା ଆବଶ୍ୟକ। ବୈଠକରୁ ଜଣାଯାଇଥିଲା ଯେ ରାଜ୍ୟରେ କୃଷି, ଶିଳ୍ପ, ଏମଏସଏମଇ ଓ ଅନ୍ୟାନ୍ୟ କ୍ଷେତ୍ରରେ ସମସ୍ତ କାର୍ଯ୍ୟକ୍ରମ ସ୍ୱଭାବିକ ହୋଇଆସୁଛି। ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା ସମସ୍ତ କ୍ଷେତ୍ରରେ ସୁଧାର ଆସିଛି। କୃଷି କ୍ଷେତ୍ରରେ ଚଳିତ ବର୍ଷ ଖରିଫରେ ୫୫.୫୨ ଲକ୍ଷ ହେକ୍ଟର ଜମି ଚାଷ କରାଯାଇଛି। ଯାହାକି ପୂର୍ବବର୍ଷ ଠାରୁ ୫ ପ୍ରତିଶତ ଅଧିକ। ଚଳିତବର୍ଷ ସାର ଓ ୟୁରିଆର ଚାହିଦା ମଧ୍ୟ ଗତବର୍ଷ ଠାରୁ ଅଧିକ ରହିଛି। ଚଳିତବର୍ଷ ୯୯୬୫ କୋଟି ଟଙ୍କାର ଫସଲ ଋଣ ପ୍ରଦାନ କରାଯାଇଛି, ଯାହା କି ଗତବର୍ଷ ଠାରୁ ମଧ୍ୟ ଅଧିକ। ଇସ୍ପାତ ଓ ଖଣି କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୧୭୫୧୪ କୋଟି ଟଙ୍କାର ୨୦୦ଟି ନୂଆ ପ୍ରକଳ୍ପକୁ ଅନୁମୋଦିତ କରାଯାଇଛି। ଏଥିରେ ୧୩ ହଜାର କର୍ମନିଯୁକ୍ତିର ସମ୍ଭାବନା ରହିଛି। ସେହିପରି ଶିଳ୍ପ ଉତ୍ପାଦନ ୮୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧିପାଇ ସାରିଛି ବୋଲି ସୂଚନା ଦିଆଯାଇଥିଲା। ବିଦ୍ୟୁତ ବ୍ୟବହାର, କାର୍ଗୋ ପରିଚାଳନା, ସବୁ କ୍ଷେତ୍ରରେ ଉନ୍ନତି ଆସିଛି। ଏମଏସଏମଇ କ୍ଷେତ୍ରରେ ସେପ୍ଟେମ୍ବର ସୁଦ୍ଧା ୧.୫ ଲକ୍ଷରୁ ଅଧିକ ୟୁନିଟ୍କୁ ପାଖାପାଖି ୩୦୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲ। ଶିଳ୍ପ ଓ ଏମ୍ଏସ୍ଏମ୍ଇ ସଂସ୍ଥାଗୁଡିକ ଯେପରି ସୁବିଧାରେ କାର୍ଯ୍ୟ କରିପାରିବେ, ସେଥିପାଇଁ ଜିଏସଟି ରିମ୍ବର୍ସମେଣ୍ଟ ପ୍ରକ୍ରିୟାକୁ ସଂପୂର୍ଣ୍ଣ ସ୍ୱଚ୍ଛ ଓ ସହଜ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ସମେତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର ବାଲକ୍ରିଷ୍ଣନ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା, କୃଷି ଉତ୍ପାଦନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।