ପ୍ରତିଶ୍ରୁତି ପାଳନ କଲେ ମୁଖ୍ୟମନ୍ତ୍ରୀ : ମୃତ କୋଭିଡ ଯୋଦ୍ଧାଙ୍କ ପରିବାରକୁ ୧୫ ଲକ୍ଷ ସହାୟତା ପ୍ରଦାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାରେ ପ୍ରମେୟ ଖବରକାଗଜ ପାଇଁ କାର୍ଯ୍ୟ କରୁଥିବା ସାମ୍ବାଦିକ ତାରିଣୀ ଚନ୍ଦ୍ର ପାଢ଼ୀ କରୋନା ଆକ୍ରାନ୍ତ ହୋଇଥିଲେ। ସେ ଗତ ସେପେଫମ୍ବର ମାସ ୨୯ରେ ଭୁବନେଶ୍ୱରସ୍ଥ କିମସ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ପତ୍ନୀ ସବିତା ପାଢ଼ୀଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ କରୋନା ଯୋଦ୍ଧାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର।

କରୋନା ଭଳି ମହାମାରୀ ସମୟରେ ସାମ୍ବାଦିକମାନେ ନିଜ ଜୀବନକୁ ବିପଦରେ ପକାଇ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଆଗେଇ ଆସୁଛନ୍ତି। ସେଥିପାଇଁ କରୋନା ଭଳି ମହାମାରୀ ସମୟରେ ସାମ୍ବାଦିକଙ୍କ ନିଧନ ଘଟିଲେ, ସେମାନଙ୍କ ପାଇଁ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ପାଳନ କରିଛନ୍ତି। ରାଜ୍ୟରେ ବିଭିନ୍ନ ସାମ୍ବାଦିକ ଓ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଛନ୍ତି।