ବାତ୍ୟା ‘ଅମ୍ପନ୍‌’ ପାଇଁ ଓଡ଼ିଶାକୁ କେନ୍ଦ୍ରର ସହାୟତା ଘୋଷଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ବର୍ଷ ମେ’ ମାସରେ ବଙ୍ଗୋପସାଗର ଉପକୂଳରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ପନ୍‌’ରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ତେବେ କ୍ଷୟକ୍ଷତିର ଅନୁଧ୍ୟାନ କରାଯାଇ କେନ୍ଦ୍ରକୁ ରିପୋର୍ଟ ପ୍ରଦାନ ପରେ ଆଜି ଓଡ଼ିଶାକୁ ସହାୟତା ଘୋଷଣା ହୋଇଛି। ୧୨୮ କୋଟି ୨୩ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟିରେ ଏହି ସହାୟତା ରାଶିକୁ ଅନୁମୋଦନ ମିଳିଛି। ଓଡ଼ିଶା ସମେତ ୬ଟି ରାଜ୍ୟକୁ ଦୁର୍ବିପାକ ସହାୟତା ଘୋଷଣା କରାଯାଇଛି। ଏହି ୬ ରାଜ୍ୟ ହେଲା ଓଡ଼ିଶା, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ସିକିମ୍।

ମୋଟ ୪ ହଜାର ୩ ଶହ ୮୧ କୋଟି ୮୮ ଲକ୍ଷର ଅତିରିକ୍ତ ସହାୟତା ଘୋଷଣା କରାଯାଇଛି। ପଶ୍ଚିମବଙ୍ଗକୁ ସର୍ବାଧିକ ୨୭ ଶହ ୭ କୋଟି ୭୭ ଲକ୍ଷ ଟଙ୍କାର ସହାୟତା ମିଳିବ। ବାତ୍ୟା ଅମ୍ପନ, ନିସର୍ଗ ସହ ବନ୍ୟା ଓ ଭୂସ୍ଖଳନ ସହାୟତା ଘୋଷଣା କରାଯାଇଛି।