ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ହାଇକୋର୍ଟରେ ମାମଲା

କଟକ,ଏନ୍ଏନ୍ଏସ୍: ମହାମାରୀ କରୋନା ସଂକ୍ରମଣ ସମୟରେ କୋଭିଡ୍ ନିୟମ ପାଳନ କରି ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ଆବେଦନକାରୀ ତ୍ରିଲୋଚନ ରଥଙ୍କ ପକ୍ଷରୁ ରୁଜୁ ମାମଲାରେ କୁହାଯାଇଛି ଯେ ରାଜ୍ୟ ସରକାର ମନ୍ଦିର ଖୋଲିବାକୁ ଅନୁମତି ଦିଅନ୍ତୁ। ବର୍ତ୍ତମାନ ସରକାର ମଦ ଦୋକାନ, ସପିଂ ମଲ୍, ବ୍ୟାୟାମଶାଳା ଖୋଲିବାକୁ ଅନୁମତି ଦେଇଥିବାସ୍ଥଳେ କଟକଣା ମାନି ମନ୍ଦିର ଖୋଲିବାକୁ କାହିିଁକି ଅନୁମତି ଦେଉନାହାନ୍ତି। ଅନ୍ୟପକ୍ଷରେ ଦର୍ଶାଯାଇଛି ଯେ, କେନ୍ଦ୍ର ସରକାର ମେ’ ୩୦ ତାରିଖରେ କଟକଣା ଆଧାରରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଥିଲେ ମଧ୍ୟ ରାଜ୍ୟ ସରକାର ଅନୁମତି ଦେଉନାହାନ୍ତି। ବର୍ତ୍ତମାନ ରାଜ୍ୟସରକାର ଧିରେ ଧିରେ ବିଭିନ୍ନ କ୍ଷେତ୍ରରେ କଟକଣା କୋହଳ କରିଥିବାରୁ ଜଗନ୍ନାଥ ମନ୍ଦିରରେ ସାମାଜିକ ଦୂରତ୍ୱ ବଜାୟ ରଖି ଭକ୍ତମାନଙ୍କୁ ସାଧାରଣ ଦର୍ଶନ କରିବାକୁ ଅନୁମତି ପ୍ରଦାନ କରାଯାଉ। ଏଥିରେ ଦର୍ଶାଯାଇଛି ଯେ ବଡ଼ଦାଣ୍ଡରୁ ସିଂହଦ୍ୱାର ପର୍ଯ୍ୟନ୍ତ ଭକ୍ତମାନେ ସାମାଜିକ ଦୁରତ୍ୱ ରକ୍ଷା କରି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିପାରିବେ। ଏଥିପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରାଯାଇଛି। ଏହି ମାମଲାରେ ରାଜ୍ୟ ସରକାରଙ୍କ ଆଇନ ବିଭାଗ ସଚିବ, ମୁଖ୍ୟ ଶାସନ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି।