ଐତିହ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବକୁ ମଞ୍ଜୁରୀ, ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ପ୍ରସ୍ତାବ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକ୍ରମରେ ରାଜ୍ୟ ସରକାର ଆଉ ପାଦେ ଆଗକୁ ବଢ଼ିଛନ୍ତି। ୨୦୦୮ରେ ରାଜ୍ୟ ସରକାର ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଥିବା ବେଳେ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରାୟ ୨ ବର୍ଷ ପରେ ଆଜି ବସିଥିବା ରାଜ୍ୟ ଐତିହ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକରେ ଏହି ନିଷ୍ପତ୍ତିି ସମେତ ମୋଟ୍ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନସିଂ ମାଧ୍ୟମରେ ବସିଥିବା ଐତିହ୍ୟ କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ସଂକ୍ରାନ୍ତରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି। ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଓଡ଼ିଶା ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଏକ ସଂସ୍କୃତି ସମ୍ପନ୍ନ ପରିଚିତ ରାଜନୀତିକ ଆୟତ୍ତନ। ଭାରତ ସରକାର ୧୯୬୪ ମସିହାରେ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ଏବଂ ୨୦୧୪ ମସିହାରେ ଓଡ଼ିଆ ଭାଷାକୁ ଷଷ୍ଠତମ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଛନ୍ତି। ଓଡ଼ିଶା ସରକାର ୨୦୦୮ ମସିହାରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଛନ୍ତି। ଓଡ଼ିଶାର ଏହି ପାରମ୍ପରିକ ସଙ୍ଗୀତ ଶୈଳୀ ପୁରାତନ ଏବଂ ଶାସ୍ତ୍ରାନୁସାରୀ। ଏହାର ଗାୟନ ପଦ୍ଧତି ମଧ୍ୟ ଭାରତର ଅନ୍ୟ ଶାସ୍ତ୍ରୀୟ ସଙ୍ଗୀତଗୁଡ଼ିକ ମଧ୍ୟରେ ସ୍ୱତନ୍ତ୍ର। ସେହିପରି ଓଡ଼ିଶାର ଐତିହ୍ୟ ଓ ଏହାର କୀର୍ତ୍ତିରାଜି, ପ୍ରାଚୀନମନ୍ଦିର, ସ୍ତୂପ, ଭାସ୍କର୍ଯ୍ୟଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ଅନ୍ୟ ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ସମ୍ପାଦିତ ହେଉଥିବାରୁ ପ୍ରତ୍ୟେକ କାର୍ଯ୍ୟର ଗୁଣବତ୍ତାର ଅନୁଶୀଳନ ଓ ତଦାରଖ କାର୍ଯ୍ୟ ସଂସ୍କୃତି ନିର୍ଦ୍ଦେଶାଳୟର ଜଣେ ମାତ୍ର ନିର୍ଦ୍ଦେଶକଙ୍କ ଅଧୀନରେ ପରିଚାଳିତ ହେଉଥିବାରୁ ଏହାର ପରିଚାଳନା ଅତ୍ୟନ୍ତ କଷ୍ଟସାଧ୍ୟ ହେଉଛି। ତେଣୁ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ସୁପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀ ସୃଷ୍ଟି ନିମନ୍ତେ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି।
ଏହାସହ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ସୁପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀ ସୃଷ୍ଟି ନିମନ୍ତେ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଅଧୀନରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ଉପବିଭାଗ ସମେତ ରାଜ୍ୟର ସମସ୍ତ ଜିଲ୍ଲା ସଂଗ୍ରହାଳୟଗୁଡ଼ିକ ପରିଚାଳିତ ହେଉଛି। ରାଜ୍ୟ ସଂଗ୍ରହାଳୟରେ ଗଚ୍ଛିତ ଥିବା ପ୍ରାଚୀନ ସାମଗ୍ରୀଗୁଡ଼ିକ ବିଶ୍ୱରେ ଅନନ୍ୟ। ଏଗୁଡ଼ିକର ରକ୍ଷଣାବେକ୍ଷଣ ସମେତ ପ୍ରାଚୀନ ପୋଥିଗୁଡ଼ିକର ଡିଜିଟାଇଜେସନ, ପଞ୍ଜୀକରଣ, ସଂରକ୍ଷଣ ଏବଂ ପ୍ରକାଶନ ଦିଗରେ କାର୍ଯ୍ୟ ଅବ୍ୟାହତ ରହିଛି। ଏତଦ୍ବ୍ୟତୀତ ରାଜ୍ୟ ସଂଗ୍ରହାଳୟ ଅଧୀନରେ କଟକଟସ୍ଥିତ ଆନନ୍ଦଭବନ ସଂଗ୍ରହାଳୟ, କେନ୍ଦୁବିଲ୍ୱସ୍ଥିତ ଜୟଦେବ ସଂଗ୍ରହାଳୟର ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଅନ୍ତର୍ଭୁକ୍ତ। ଏହି ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ସମ୍ପାଦିତ ହେଉଥିବାରୁ ପ୍ରତ୍ୟେକ କାର୍ଯ୍ୟର ଗୁଣବତ୍ତାର ଅନୁଶୀଳନ ଓ ତଦାରଖ କାର୍ଯ୍ୟ ସଂସ୍କୃତି ନିର୍ଦ୍ଦେଶାଳୟର ଜଣେ ମାତ୍ର ନିର୍ଦ୍ଦେଶକଙ୍କ ଅଧୀନରେ ପରିଚାଳିତ ହେଉଥିବାରୁ ଏହାର ପରିଚାଳନା ଅତ୍ୟନ୍ତ କଷ୍ଟସାଧ୍ୟ ହେଉଛି।
ସେହିପରି ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଗଚ୍ଛିତ ପୁରାତନ କୀର୍ତ୍ତିରାଜି, ପ୍ରାଚୀନମୁଦ୍ରା ଓ ଅଭିଲେଖ, ତାଳପତ୍ର ପୋଥି, ନୃତ୍ୱତ୍ତ୍ୱ୍ୱ, ଖଣି ଓ ଭୂତତ୍ତ୍ୱ ଆଦି ଅମୂଲ୍ୟ ସମ୍ପଦ, ନୌବାଣିଜ୍ୟ ପରମ୍ପରା, ହାତୀଦାନ୍ତ ଓ କାରୁକଳା, ଅସ୍ତ୍ରଶସ୍ତ୍ର, ବ୍ରୋଞ୍ଜମୂର୍ତ୍ତି ଓ ପାରମ୍ପରିକ ଚିତ୍ର ପୃଥିବୀର କୋଣଅନୁକୋଣରେ ପହଞ୍ଚାଇବା ଉଦ୍ଦେଶ୍ୟରେ ସାମ୍ପ୍ରତିକ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ସଂଗ୍ରହାଳୟକୁ ଭର୍ଚୁଆଲ୍ କରାଯିବା ସଂଗେ ସଂଗେ ଅନୁରୂପ ଢାଞ୍ଚାରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଆନନ୍ଦ ଭବନ ସଂଗ୍ରହାଳୟକୁ ମଧ୍ୟ ଭର୍ଚୁଆଲ କରାଯିବା ନିମନ୍ତେ ପ୍ରସ୍ତାବ ଆଜିର ବୈଠକରେ ଅନୁମୋଦିତ ହୋଇଛି।
ଏହାଛଡ଼ା ବିଭିନ୍ନ ସାଂସ୍କୃତିକ କ୍ଷେତ୍ରରେ ଯୋଗ୍ୟ ବିବେଚିତ କଳାକାରମାନଙ୍କୁ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରଦାନ କରୁଥିବା ଏକାଡେମୀ ପୁରସ୍କାରଗୁଡ଼ିକର ଅର୍ଥରାଶି ବୃଦ୍ଧି ନିମନ୍ତେ ପ୍ରସ୍ତାବ ଐତିହ୍ୟ କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି। ପୁରସ୍କୃତ ବ୍ୟକ୍ତିବିଶେଷଙ୍କ ଗୁରୁତ୍ୱକୁ ଉପଲବ୍ଧି କରି ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଧର୍ମପଦ ସମ୍ମାନ ଏବଂ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ ନିମନ୍ତେ ଅର୍ଥରାଶି ଏକଲକ୍ଷ ଟଙ୍କାରୁ ପାଞ୍ଚଲକ୍ଷ ଟଙ୍କା, ଏକାଡେମୀ ଗୁଡ଼ିକର ପୁରସ୍କାର ପାଇଁ ଅର୍ଥରାଶି ୫୦ ହଜାର ଟଙ୍କାରୁ ୨ ଲକ୍ଷ ଟଙ୍କା ତଥା ଏକାଡେମୀ ସମ୍ବର୍ଦ୍ଧନା ରାଶି ଏକଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ବିଭିନ୍ନ ଏକାଡେମୀ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ କେନ୍ଦ୍ରଗୁଡ଼ିକରେ ଖାଲି ପଡ଼ିଥିବା କର୍ମକର୍ତ୍ତା ନିଯୁକ୍ତି ପ୍ରକ୍ରିୟା ଏକ ମୁକ୍ତ ବିଜ୍ଞାପନ ମାଧ୍ୟମରେ ଓ ଆବଶ୍ୟକସ୍ଥଳେ ମନୋନୟନ ମାଧ୍ୟମରେ ଚୟନ କରାଯିବା ପାଇଁ ପ୍ରସ୍ତାବକୁ ବୈଠକରେ ମଞ୍ଜୁର କରାଯାଇଛି। ସେହିଭଳି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ (ସୁଆଣ୍ଡୋ)ର ସାମଗ୍ରୀକ ବିକାଶ ଓ ଉନ୍ନତିକରଣ ପାଇଁ ସରକାର ଏକ ପ୍ରକଳ୍ପ ପ୍ରସ୍ତୁତ କରୁଛନ୍ତି, ଯାହାର ଆନୁମାନିକ ଆକଳନ ସାଢ଼େ ଏଗାରକୋଟି ଟଙ୍କା ରଖାଯାଇଛି। ଏହି ପଦକ୍ଷେପ ପାଇଁ ଆସିଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି।