ବୌଦ୍ଧ,ଏନ୍ଏନ୍ଏସ୍ : ବୌଦ୍ଧ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପୁଣି ଏକ ଯାତ୍ରୀବାହୀ ବସକୁ ପକାଇଛି ବଡ଼ ଫାଇନ । ଖୁଣ୍ଟିଗୋରାରୁ ବରଗଡ଼ ଯାଉଥିବା ବୁଢ଼ୀମା ଗାଡି ନମ୍ବର ଓଆର ୦୩ବି୬୧୮୫କୁ ୭ ଲକ୍ଷ ୭ ହଜାର ୨୩୦ ଟଙ୍କାର ଜରିମାନା କରାଯାଇଛି । ଗୁରୁବାର ବସଟି ବରଗଡରୁ ବାହାରି ଖୁଣ୍ଟିଗୋରା ଯାଉଥିବାବେଳେ ଘଣ୍ଟାପଡାଠାରେ ଆଞ୍ଚଳିକ ପରିବହନ ଅଧିକାରୀ ଭାଗୀରଥି ନାୟକଙ୍କ ନେତୃତ୍ୱରେ ଗାଡିକୁ ଧରି ସଂଶୋଧିତ ପରିବହନ ଆଇନ ଉଲଂଘନ ଓ ଅନ୍ୟାନ୍ୟ ବାବଦ ଫାଇନ ପକାଯିବା ସହ ଗାଡିକୁ ଜବତ କରାଯାଇଛି । ୭ଟି ଟ୍ରାଫିକ୍ ନିୟମ ଉଲ୍ଲଂଘନ ବାବଦ ମୋଟ୍ ୭ ଲକ୍ଷ ୭ ହଜାର ୨୩୦ ଟଙ୍କାର ଜରିମାନା କରିବା ସହ ଗାଡ଼ିଟିକୁ ଜବତ କରାଯାଇଥିବା ଆରଟିଓ କହିଛନ୍ତି ।
ସୂଚନା ଅନୁଯାୟୀ, ବିନା ରେଜିଷ୍ଟ୍ରେସନରେ ଗାଡ଼ି ଚଳାଚଳ ପାଇଁ ୫ ହଜାର ଟଙ୍କା, ବିନା ଡ୍ରାଇଭିଙ୍ଗ ଲାଇସେନ୍ସରେ ଡ୍ରାଇଭର ଗାଡି ଚଳାଉଥିବାରୁ ୫ ହଜାର ଟଙ୍କା, ପ୍ରଦୂଷଣ ପାଇଁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି । ଏହା ବ୍ୟତୀତ ଏହି ବସ୍ର ଓଡ଼ିଶା ମୋଟର ଯାନ ଟିକସ ବାବଦ ୬ ଲକ୍ଷ ୭୪ ହଜାର ୭୩୦ ଟଙ୍କା ବକେୟା ରହିଥିବା ଜଣାଯାଇଛି ।