ନୂଆଦିଲ୍ଲୀ,ଏଜେନ୍ସି: ଆରମ୍ଭ ହେଲା ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ। ଏନଡିଏମସି ଗୃହରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୧୨୪ ସଦସ୍ୟ ଉପସ୍ଥିତ ରହିଛନ୍ତି। ବାକି ସଦସ୍ୟମାନେ ଭର୍ଚୁଆଲ ମାଧ୍ୟମରେ ବୈଠକରେ ଯୋଡ଼ି ହୋଇଛନ୍ତି। କୋଭିଡ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ବୈଠକ ଆଜି ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଛି। ୫ ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନ ଓ କୋଭିଡ ସମେତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ ପରେ ବୈଠକ ପାଖାପାଖି ଅପରାହ୍ନ ୩ଟାରେ ଶେଷ ହେବ।
ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ଅନ୍ୟମାନେ ମଧ୍ୟ ଯୋଗ ଦେଇଛନ୍ତି। ବୈଠକରେ ଯୋଗଦେବାକୁ ୩୬ ରାଜ୍ୟର ପଦାଧିକାରୀଙ୍କୁ ନିମନ୍ତ୍ରିତ କରାଯାଇଛି। ଭର୍ଚୁଆଲ ମାଧ୍ୟମରେ ବୈଠକରେ ମୁଖ୍ୟମନ୍ତ୍ରୀ, ପଦାଧିକାରୀ ଓ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସାମିଲ ହୋଇଛନ୍ତି। ବିଜେପି ସାଧାରଣ ସଂପାଦକ ଅରୁଣ ସିଂହଙ୍କ ଅନୁସାରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀକୁ ହାଇବ୍ରିଡ ରୂପରେ ରଖାଯିବାକୁ ନିଷ୍ପତ୍ତି ହୋଇଛି ।