ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ଝାରସୁଗୁଡ଼ା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି। ଏହାକୁ ବିରୋଧ କରି ଯୁବ ମୋର୍ଚ୍ଚାର ସଦସ୍ୟମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାର ଆଣିଥିବା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଛାତ୍ର ବିରୋଧୀ। ଏହା ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ୱାଧୀନତା କ୍ଷୁର୍ଣ୍ଣ କରିବା ସହ ଶିକ୍ଷାର ମାନଦଣ୍ଡକୁ ମଧ୍ୟ ପ୍ରଭାବିତ କରିବ। ଏହି ଅଧୀନିୟମରେ ପ୍ରାଧ୍ୟାପକ ନିଯୁକ୍ତିରେ ବ୍ୟାପକ ଅନିୟମିୟତା ଓ ରାଜନୈତିକ ହସ୍ତକ୍ଷେପ ହେବାର ସୁଯୋଗ ଥିବାବେଳେ କୁଳପତିଙ୍କ ମର୍ଯ୍ୟାଦା ଓ କ୍ଷମତା ସଙ୍କୁଚିତ ହେବ। ତେଣୁ ସରକାର ଏହି ଶିକ୍ଷାନିତୀକୁ ଲାଗୁ କରିବା ନିଷ୍ପତ୍ତିକୁ ପରିବର୍ତ୍ତନ କରନ୍ତୁ ନଚେତ୍ ଯୁବମୋର୍ଚ୍ଚା ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ଏହି ସମୟରେ ରାଜ୍ୟ ବିଜେପି ସମ୍ପାଦକ, ଟଙ୍କଧର ତ୍ରିପାଠୀ, ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ବିଶ୍ୱଜିତ ଷଡ଼ଙ୍ଗୀ, ପୁରୁଷୋତ୍ତମ ଥିରାନୀ, କିଷ୍ଣ ମୁରାରି ସିଂ, ବିଶ୍ୱଜିତ ମହାନ୍ତି, ଅମିତ କୁମାର ପ୍ରମୁଖଙ୍କ ସହ ଯୁବ ମୋର୍ଚ୍ଚାର ସଦସ୍ୟମାନେ ଉପସ୍ଥିତ ଥିଲେ।