ତାଳଚେର,ଏନ୍ଏନ୍ଏସ୍: ତାଳଚେର ଥର୍ମାଲର ପାଉଁଶ ପାଇପ୍ ଫାଟିଯିବାରୁ ଘର, ବାଡ଼ିବଗିଚା ଓ ରାସ୍ତାଘାଟ ପାଉଁଶ ଜଳମୟ ହୋଇ କର୍ଦ୍ଦମାକ୍ତ ହେବା ସଙ୍ଗେ ସଙ୍ଗେ ବ୍ୟାପକ କ୍ଷତି ହୋଇଥିବାର ଜଣାପଡ଼ିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଖବର ନେବାରୁ ଜଣାପଡ଼ିଛି ଯେ, ଶୁକ୍ରବାର ସକାଳ ୬ଟା ବେଳେ ହଠାତ୍ ତାଳଚେର ଥର୍ମାଲର ଆସ୍ ପାଇପ ଯାହାକି, ଏମ୍ସିଏଲର ପରିତ୍ୟକ୍ତ କୋଇଲାଖଣି ଅଞ୍ଚଳକୁ ବିଛାଯାଇଛି ତାହା କୌଣସି କାରଣରୁ ଫାଟି ଯାଇଥିଲା। ଫଳରେ ସେଥିରୁ ବିପୁଳ ମାତ୍ରାରେ ଜଳ ମିଶ୍ରିତ ତରଳ ପାଉଁଶ ନିମିଷକ ମଧ୍ୟରେ ସ୍ଥାନୀୟ ଜଗନ୍ନାଥପୁରର ବଜାର ସାହିର କିଛି ଗ୍ରାମବାସୀଙ୍କ ଘରେ, ଚାଷଜମି ଏବଂ ମୁଖ୍ୟ ରାସ୍ତାରେ ମାଡ଼ି ଯାଇଥିଲା। ଥର୍ମାଲ୍ ପ୍ଲାଣ୍ଟ ପଛ ଗେଟ୍ ଦେଇ ପାଉଁଶ ମିଶା ପାଣି ପ୍ରବଳ ବେଗରେ ମାଡ଼ି ଆସି ପ୍ଲାଣ୍ଟ ନିକଟସ୍ଥ ଜଗନ୍ନାଥପୁର ଗ୍ରାମର ଦୟାନିଧି ସାହୁ, ଅରୁଣ ସାହୁ, ବାବୁଲି ନାୟକ, ଏମ୍ଡି ଇସଲାମ, ଜୟ ସାହୁ, କାରୁ ବାରିକ, ଜଳଧର ବାରିକ ପ୍ରମୁଖଙ୍କ ଘର ଭିତରେ ପଶି ଯାଇଥିଲା। ଫଳରେ ପ୍ରାୟ ୭ରୁ ଊଦ୍ଧ୍ୱର୍ ପରିବାର କ୍ଷତିଗ୍ରସ୍ତ ହୋଇଥିଲେ। ଏହି ବିଷାକ୍ତ ପାଉଁଶ ପାଣି ଘରେ ପଶିବା ଫଳରେ ଆସବାବପତ୍ର, ଖାଦ୍ୟ ସାମଗ୍ରୀ, ଜଳାଶୟ, ଚାଷଜମି ଆଦି ଆଦି ନଷ୍ଟ ହୋଇଥିବାର ଲୋକେ ଅଭିଯୋଗ କରିବାସହ ତୁରନ୍ତ କ୍ଷତିପୂରଣ ଦାବି କରିଥିଲେ। କିଛି ବର୍ଷ ପୂର୍ବରୁ ମଧ୍ୟ ଏହିଭଳି ଆସ୍ ପାଇପ ଫାଟି ବହୁ ମାତ୍ରାରେ ଘରଦ୍ୱାର ଏବଂ ଚାଷଜମି ପାଉଁଶ ପାଣିରେ ଭରି ଯାଇଥିଲା।
ଏଭଳି ବାରମ୍ବାର ଘଟୁଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତି କରିଥିଲେ। ତେବେ ସୂଚନା ପାଇ ଫଟା ପାଇପକୁ ଦୀର୍ଘ ଘଣ୍ଟା ପରେ ଏନ୍ଟିପିସି ତାଳଚେର ଥର୍ମାଲ କର୍ତ୍ତୃପକ୍ଷ ମରାମତି କରିବାସହ ପ୍ରଭାବିତ ଘରଦ୍ୱାର ସବୁ ବୁଲି ଦେଖିଥିଲେ। ସ୍ଥିତି ଅନୁଧ୍ୟାନ ପରେ ଚାଇଁପାଳ ଫାଣ୍ଡିଠାରେ ଏ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜଗନ୍ନାଥପୁର ସରପଞ୍ଚ ନରେନ୍ଦ୍ର ନାହାକ, ବିଧାୟକଙ୍କ ପ୍ରତିନିଧି ରାଜେଶ ଦାସ, ରାଜେଶ ଧର ଓ ଅଜୟ ନାୟକ, ତାଳଚେର ଥର୍ମାଲ ପ୍ରକଳ୍ପର ଡିଜିଏମ୍ (ଏଚଆର୍) ଚରଣଜୀତ କୁମାର, ଅଧିକାରୀ ରାଜେନ୍ଦ୍ର ସାହୁ, ଚାଇଁପାଳ ଫାଣ୍ଡି ଅଧିକାରୀ ଗୋକୁଳାନନ୍ଦ ପଣ୍ଡାଙ୍କ ସମେତ କ୍ଷତିଗ୍ରସ୍ତ ପରିବାର ବର୍ଗ ଉପସ୍ଥିତ ରହି ଆଲୋଚନା କରିଥିଲେ।
ବୈଠକରେ ନିଷ୍ପତ୍ତି ଅନୁସାରେ ରାସ୍ତାଘାଟ, ପୋଲ ଏବଂ ଆଖପାଖ ଅଞ୍ଚଳରେ ଭରି ରହିଥିବା ପାଉଁଶ ପାଣିକୁ ସଫା କରାଯିବା, ପ୍ରଭାବିତ ପରିବାରଗୁଡ଼ିକୁ ୩ ଦିନ ପର୍ଯ୍ୟନ୍ତ ରନ୍ଧା ସାମଗ୍ରୀ ପ୍ରଦାନ କରାଯିବ। ଏଥିସହିତ ୫ଟି ପରିବାରକୁ ୧୦ହଜାର ଟଙ୍କା ଟଙ୍କା ଲେଖାଏଁ କ୍ଷତିପୂରଣ, କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ ୫ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ, ଥର୍ମାଲ ହସ୍ପିଟାଲରେ ପ୍ରଭାବିତ ପରିବାର ସଦସ୍ୟମାନଙ୍କୁ ଚିକିତ୍ସା ସେବା କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା। ଏହା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା।