ପହଞ୍ଚିଲାନି ପାରିଲାନି ଆମ୍ବୁଲାନ୍ସ, ଭାରରେ ୩ କିମି ବୁହା ହେଲେ ପ୍ରସୂତି

କୋରାପୁଟ, ଏନ୍ଏନ୍ଏସ୍:  ଖରାପ ରାସ୍ତା  ଯୋଗୁଁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଫଳରେ ଜଣେ ପ୍ରସୂତି ଓ ନବଜାତ ଶିଶୁକନ୍ୟାକୁ  ଭାରରେ ୩ କିଲୋମିଟର ବୋହି ହସ୍ପିଟାଲରେ ପହଞ୍ଚିଲେ ପରିବାର । ଏଭଳି ଏକ ଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଚିକାମ୍ବ ପଞ୍ଚାୟତର ଝୋଲାଗୁଡା ଗ୍ରାମରେ। ସୂଚନା ଅନୁଯାୟୀ, ରବିବାର ଦିନ ଗ୍ରାମର ସରୋଜ ସାଉଁନ୍ତାଙ୍କ ସ୍ତ୍ରୀ ରୂପାରଲି ସାଉନ୍ତାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ଏନେଇ ପରିବାର ଲୋକେ ସ୍ଥାନୀୟ ଆଶା କର୍ମୀ ଓ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ବର୍ଷାରେ ରାସ୍ତା ଖରାପ ହୋଇ ଯାଇଥିବାରୁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ନପାରି ଝୋଲାଗୁଡ଼ାଠାରୁ ୩ କିଲୋମିଟର ଦୂର ଧର୍ମଗୁଡ଼ା ଛକରେ ଅଟକି ରହିଥିଲା। କିଛି ସମୟ ପରେ ରୂପାଲି ଘରେ ଜାଆଁଳା ପୁଅ ଓ ଝିଅକୁ ଜନ୍ମ ଦେଇଥିଲେ।  ପରେ ଶିଶୁପୁତ୍ରଟିର ମୃତ୍ୟୁ ହୋଇଯାଇଥିଲା।  ଏହାପରେ କୌଣସି ଉପାୟ ନପାଇ ଗ୍ରାମବାସୀ ଏକ ଚୌକିରେ ଭାର କରି ରୂପାଲି ଓ ନବଜାତ ଶିଶୁକନ୍ୟାକୁ ଧର୍ମଗୁଡା ଛକରେ ପହଞ୍ଚାଇବା ପରେ ସେଠୁ ଆମ୍ବୁଲାନ୍ସରେ  ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।