୫ ହଜାର ତାଲିବାନ୍ ବନ୍ଦୀଙ୍କୁ ମୁକ୍ତ କରିବାକୁ ଆଫଗାନ୍ ସରକାରଙ୍କ ନିଷ୍ପତ୍ତି

କାବୁଲ,ଏଜେନ୍ସି: ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ତାଲିବାନ୍ ଓ ଆମେରିକା ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ କାର୍ଯ୍ୟକାରୀ କରିବା ଲାଗି ଆଫଗାନିସ୍ତାନ ସରକାର ସମ୍ମତ ହୋଇଛନ୍ତି। ଚୁକ୍ତିର ବ୍ୟବସ୍ଥା ଅନୁଯାୟୀ, ଆଫଗାନିସ୍ତାନ ଜେଲ୍ରେ ବନ୍ଦୀ ଥିବା ପ୍ରାୟ ୫ ହଜାର ତାଲିବାନ୍ ବିଦ୍ରୋହୀଙ୍କୁ ଛାଡ଼ିବାକୁ ଆଫଗାନ୍ ରାଷ୍ଟ୍ରପତି ଅବଦୁଲ୍ ଗନି ରାଜି ହୋଇଛନ୍ତି। ଏହି ବିଦ୍ରୋହୀମାନଙ୍କୁ ପର୍ଯ୍ୟାୟକ୍ରମେ ଜେଲ୍ରୁ ମୁକ୍ତ କରିବା ପାଇଁ ଆଫଗାନିସ୍ତାନ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହି ନିଷ୍ପତ୍ତିକୁ ତାଲିବାନ୍ ବିରୋଧ କରିଛି। ତାଲିବାନ୍ର ମୁଖପାତ୍ର ସୁହେଲ ଶାହିନ କହିଛନ୍ତି, ୫ ହଜାର ତାଲିବାନ୍ ବନ୍ଦୀଙ୍କ ବଦଳରେ ତାଲିବାନ୍ଙ୍କ ଦ୍ୱାରା ବନ୍ଦୀ ଥିବା ୧ ହଜାର ଆଫଗାନ୍ ସୈନ୍ୟଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ହୋଇଥିଲା ।

ମାତ୍ର ଆଫଗାନ୍ ସରକାର ଗୋଟିଏ ଥରରେ ସବୁ ବନ୍ଦୀଙ୍କୁ ନଛାଡ଼ିବା ଲାଗି ସ୍ଥିର କରିଥିବାରୁ ଏ ସଂକ୍ରାନ୍ତ ଚୁକ୍ତିର ବିରୁଦ୍ଧାଚରଣ ହେବ। ଏହାଦ୍ୱାରା ତାଲିବାନ୍-ଆଫଗାନ୍ ସରକାରଙ୍କ ମଧ୍ୟରେ ହୋଇଥିବା ଶାନ୍ତି ରାଜିନାମା ବ୍ୟାହତ ହେବ ବୋଲି ଏହି ସୂତ୍ରରେ କୁହାଯାଇଛି। ଗତ ମାର୍ଚ୍ଚ ୧ରେ କାତାରର ଦୋହାଠାରେ ଭାରତର ଉପସ୍ଥିତିରେ ଆମେରିକା ଓ ତାଲିବାନ୍ ମଧ୍ୟରେ ଶାନ୍ତି ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ, ଆସନ୍ତା ୧୪ ମାସ ମଧ୍ୟରେ ଆମେରିକା ଆଫଗାନିସ୍ତାନରୁ ନାଟୋ ସୈନ୍ୟ ପର୍ଯ୍ୟାୟକ୍ରମେ ପ୍ରତ୍ୟାହାର କରିନେବ। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୩୫ ଦିନ ମଧ୍ୟରେ ଆମେରିକା ତା’ର ୮୬୦୦ ସୈନ୍ୟ ଆଫଗାନିସ୍ତାନରୁ ଅପସାରଣ କରିବ। ଚୁକ୍ତି ଅନୁଯାୟୀ, ଆମେରିକା ସେନା ପକ୍ଷରୁ ବନ୍ଦୀ କରାଯାଇଥିବା ପ୍ରାୟ ୫ ହଜାର ଲୋକଙ୍କୁ ମୁକ୍ତ କରାଯିବ।