ଫୁଲବାଣୀ, ଏନ୍ଏନ୍ଏସ୍: କରୋନା ସଂକ୍ରମିତଙ୍କୁ ଆଣିବାକୁ ଯାଇ ଆଜି ଫୁଲବାଣୀରେ ପ୍ରଶାସନ ଓ ପୁଲିସକୁ ହଟ୍ଟହଟା ହେବାକୁ ପଡ଼ିଛି। ଫୁଲବାଣୀ ସହରର ମୋଚି ସାହିରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ସେମାନଙ୍କୁ ଆଣିବାକୁ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା ଓ ଏକ ପୁଲିସ ଟିମ ଆମ୍ବୁଲାନ୍ସ ନେଇ ଯାଇଥିଲେ। ତେବେ ସାହିବାସୀ ଚିହ୍ନଟ ୨ ଆକ୍ରାନ୍ତଙ୍କୁ ନେବାକୁ ଦେଇନଥିଲେ। ଗତ ୪ ଦିନତଳେ ଉକ୍ତ ଦୁଇଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ପୁଣି କେମିତି ପଜିଟିଭ ଆସିଲା ଗ୍ରାମବାସୀ ଅଭିଯୋଗ କରିଥିଲେ। ପୁଲିସର ଅଧିକାରୀ ପହଞ୍ଚି ସାହିବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା। ଅପରାହ୍ଣରେ ତହସିଲଦାର ଦିନମଣୀ ନାୟକ, ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଥାନାଧିକାରୀ ସୁଶାନ୍ତ ସେଠୀ, ପୌରପରିଷଦର ନିର୍ବାହୀ ଅଧିକାରୀ ବଳଦେବ ବେହେରା ଓ ଅନ୍ୟ ପୁଲିସ୍ କର୍ମଚାରୀମାନେ ଆସି ସାହିବାସୀଙ୍କୁ ବୁଝାଇବା ପରେ ଆକ୍ରାନ୍ତ ଦୁଇଜଣଙ୍କୁ ଡାକ୍ତରଖାନା ନେବାକୁ ରାଜି ହୋଇଥିଲେ।