୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ମାମଲାର ଫେରାର ଅଭିଯୁକ୍ତ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍ : ୨୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ମାମଲାର ଫେରାର ଅଭିଯୁକ୍ତକୁ ଦେବଗଡ଼ ଥାନା ପୁଲିସ ସୋନପୁର ଜିଲ୍ଲାରୁ ଗିରଫ କରିଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ମିଳିଥିବା ରିପୋର୍ଟ ମୁତାବିକ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନାଞ୍ଚଳର ଅତୁଲ୍ୟ କୁମାର ମିଶ୍ର ନାମକ ଜଣେ ବ୍ୟକ୍ତି ଗତ କିଛିବର୍ଷ ପୂର୍ବେ ଦେବଗଡ଼ ଥାନା ଅନ୍ତର୍ଗତ ସରତଳା ଗ୍ରାମରେ ରହି ଆସୁଥିବାବେଳେ ବିଭିନ୍ନ ବ୍ୟବସାୟ କରୁଥିଲେ। ଏହି କ୍ରମରେ ଦେବଗଡ଼ ମୁଖ୍ୟ ବଜାରଠାରେ କପଡ଼ା ବ୍ୟବସାୟ କରୁଥିବା ରାଜେଶ ଗୋଏଲ ନାମକ ଜଣେ ବ୍ୟବସାୟୀଙ୍କଠାରୁ ଅତୁଲ୍ୟ ୨୦ଲକ୍ଷ ଟଙ୍କା ଠକି ନେଇଥିଲେ। ଏନେଇ ରାଜେଶ ଗତ ୨୦୨୦ ମସିହା ଜାନୁଆରୀ ୫ତାରିଖରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଏକ ଠକେଇ ମାମଲା ରୁଜୁ କରିଥିବାବେଳେ ଅଭିଯୁକ୍ତ ଘଟଣା ଦିନଠାରୁ ଫେରାର ରହିଥିଲା। ଫେରାର ଅଭିଯୁକ୍ତକୁ କୋର୍ଟ ୱାରେଣ୍ଟ ବଳରେ ଗିରଫ ପାଇଁ ପୁଲିସ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଅଭିଯୁକ୍ତ ଜଣକ ବେଶ ବଦଳାଇ ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଚମ୍ପାମାଲ ଗ୍ରାମରେ ପୂଜକ ଭାବେ ପରିଚୟ ଦେଇ ରହି ଆସୁଥିବା ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଗତକାଲି ଦେବଗଡ଼ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ସଦଳବଳେ ଉକ୍ତ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତ ଅତୁଲ୍ୟକୁ ଗିରଫ କରିଥିଲେ। ଅତୁଲ୍ୟ ନାମରେ ବିଭିନ୍ନ ଥାନାରେ ଅନୁନ୍ୟ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲା ରହିଥିବା ଏସଡ଼ିପିଓ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।