ଆଦିବାସୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ମହୋତ୍ସବ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାସ୍ଥିତ ଆଦିବାସୀ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ମହାବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ ଓ କର୍ମଚାରୀଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ଧନ୍ୟବାଦ ଅର୍ପଣ ମହୋତ୍ସବ ଆୟୋଜିତ ହୋଇଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ମହାବିଦ୍ୟାଳୟର ଉଣ୍ଡିତି ତଥା ରୂପାନ୍ତରୀକରଣ ଯଥା- ୪ଟି ନୂତନ ସ୍ମାର୍ଟ କ୍ଲାସରୁମ ନିର୍ମାଣ, ଉଦ୍ଭିଦ ବିଜ୍ଞାନ, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଓ ଜୀବ ବିଜ୍ଞାନ ବିଭାଗରେ ଗୋଟିଏ ଲେଖାଏଁ ବିଜ୍ଞାନ ପରୀକ୍ଷାଗାର ନିର୍ମାଣ, ଗୋଟିଏ ପ୍ରଯୁକ୍ତି ବିଦ୍ୟା ଗ୍ରନ୍ଥାଗାର ନିର୍ମାଣ ଓ ଛାତ୍ରଛାତ୍ରୀଙ୍କ ରହିବା ନିମନ୍ତେ ସହରୀ ଛାତ୍ରଛାତ୍ରୀ ନିବାସ (ଅର୍ବାନ ହଷ୍ଟେଲ) ନିର୍ମାଣ କରିବା ସହିତ ସ୍ୱଚ୍ଛ ପାନୀୟ ଜଳ ଓ ଆଧୁନିକ ଶୌଚାଳୟର ବ୍ୟବସ୍ଥା ନିମନ୍ତେ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠି ୨୦୨୩-୨୪ରୁ ସମୁଦାୟ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ତେଣୁ ଉକ୍ତ ମହୋତ୍ସବ ଆୟୋଜନ କରି ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ନିଜ ଅଭିଭାଷଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ତରଫରୁ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଶୁଧାଶୃତି ସାହୁ ଓ ପ୍ରକାଶ ଦିଗାଲ ଧନ୍ୟବାଦ ଅର୍ପଣ କରିଥିବାବେଳେ ଅନ୍ୟ ଛାତ୍ରଛାତ୍ରୀ ଦଳଗତ ନୃତ୍ୟ ଏବଂ ସଂଗୀତ ପରିବେଷଣ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ଅତିଥିଭାବେ ଆମନ୍ତ୍ରିତ ହୋଇ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମଞ୍ଚ ପରିଚାଳନା କରିଥିବାବେଳେ ବାଲିଗୁଡ଼ା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଛାତ୍ରଛାତ୍ରୀଙ୍କୁ ସମୃଦ୍ଧ ଓଡ଼ିଶାର ଗଠନ ନିମନ୍ତେ ଶିକ୍ଷାର ଆବଶ୍ୟକତାକୁ ବିଭିନ୍ନ ପ୍ରକାର ଋଣ ଦେଇ ବୁଝାଇବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ନିମନ୍ତେ ଉତ୍ସାହିତ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ଶେଖର ପାତ୍ର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ସୁବିଧା ଯୋଗାଇବା ନିମନ୍ତେ ଓଡ଼ିଶା ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ସୂଚନା ପ୍ରଦାନ କରିଥିଲେ । ତହସିଲଦାର ବିଜୟ କୁମାର ସେଠୀ ଜାତିଗତ, ବାସିନ୍ଦା, ବାର୍ଷିକ ଆୟ ପ୍ରମାଣ ପତ୍ର, ଆବେଦନର ପ୍ରକ୍ରିୟା ଓ ତା’ର ସମୟ ସୀମା ବିଷୟରେ ବୁଝାଇବା ସହିତ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ଛାତ୍ର ବୃତ୍ତି ବିଷୟରେ ସୂଚନା ପ୍ରଦାନ କରିଥିଲେ । ଆଇଟିଡିଏର ପ୍ରକଳ୍ପ ପ୍ରଶାସକ, ଅତିରିକ୍ତ ମଙ୍ଗଳ ଅଧିକାରୀ ଓ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଏହି ପାଣ୍ଠି ଦ୍ୱାରା ହେବାକୁ ଥିବା କାର୍ଯ୍ୟ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ।