ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାରେ ସଂଘର୍ଷ ଯୋଗୁ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ଏଥିସହିତ ସେନାର ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ଆତଙ୍କବାଦୀ ଜଣକ ହେଉଛନ୍ତି ହିଜବୁଲ ମୁଜାହିଦ୍ଦୀନର ଶୀର୍ଷ କମାଣ୍ଡର ଆଜାଦ ଲଲହାରୀ ।
ପୁଲିସ ସୂତ୍ରରୁ ଜଣାପଡ଼ିଛି କି ଲଲହାରୀ, ରିୟାଜ ନାଇକୁଙ୍କ ପରେ ଏଚଏମର ମୁଖ୍ୟ କମାଣ୍ଡର ରୂପେ ନିଯୁକ୍ତ ହୋଇଥିଲେ। ଡିଜିପି ଦିଲବାଗ ସିଂହ କହିଛନ୍ତି କି, ଲଲହାରୀ ବିରୋଧରେ ୬ଟି ମାମଲା ରୁଜୁ ହୋଇଥିଲା। ଏଥିସହିତ ମେ’ ୨୨ ତାରିଖରେ ପୁଲୱାମା ସହରରେ ହେଡ କନେଷ୍ଟବଳ ଅନୁପ ସିଂଙ୍କ ହତ୍ୟାରେ ମଧ୍ୟ ସେ ସାମିଲ ଥିଲା। ଲଲହାରୀ ହିଜବୁଲରେ ଏକ ଓଭରଗ୍ରାଉଣ୍ଡ ୱାର୍କର ରୂପେ କାମ ଆରମ୍ଭ କରିଥିଲା। ଏଥିପାଇଁ ତାକୁ ସାର୍ବଜନିକ ସୁରକ୍ଷା ଆଇନ ଅନ୍ତର୍ଗତ ଜେଲ ହୋଇଥିଲା। ପୀଏସଏ ନଜରବନ୍ଦୀ ସରିବା ପରେ ସେ ହିଜବୁଲ ରେଙ୍କରେ ସାମିଲ ହୋଇଥିଲା।
ସୂଚନାଯୋଗ୍ୟ, ସୁରକ୍ଷାବଳକୁ ପୁଲୱାମାର କାମରାଜୀପୋରା ଗାଁର ଏକ ବଗିଚାରେ ଆତଙ୍କବାଦୀ ଉପସ୍ଥିତ ଥିବା ନେଇ ସୂଚନା ମିଳିଥିଲା। ପରେ ସେଠାରେ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଥମେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଥିଲେ ପରେ ଏହାର ଜବାବ ଦେବାକୁ ଯାଇ ସେନା ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ସେନାର ୨ ଯବାନ ଆହତ ହୋଇଥିବା ନେଇ ସୂଚନା ମିଳିଛି। ଆହତ ଯବାନଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଆକ୍ରମଣ ସ୍ଥଳରୁ ଏକ ରାଇଫଲ ସହ କିଛି ଗ୍ରେନେଡ ଜବତ ହୋଇଥିବା ଜଣାପଡ଼ିଛି।