ଶ୍ରୀନଗର,ଏଜେନ୍ସି: ପୁଣିଥରେ ଜମ୍ମୁ-କଶ୍ମୀରକୁ ଅଶାନ୍ତ କରିଛନ୍ତି ଆତଙ୍କବାଦୀ। ଦୁଇ ଦିନ ତଳେ ଆତଙ୍କୀମାନେ ଗୋଟିଏ ଘଣ୍ଟା ମଧ୍ୟରେ ୩ ଥର ଆକ୍ରମଣ କରି ୩ ଜଣଙ୍କୁ ହତ୍ୟା କରିଥିବା ବେଳେ ଆଜି ପୁଣିଥରେ ଆକ୍ରମଣ କରିଛନ୍ତି। ଆଜି ଆତଙ୍କବାଦୀମାନେ ଶ୍ରୀନଗରରେ ଥିବା ଗୋଟିଏ ସ୍କୁଲ ଉପରେ ହମଲା କରିଛନ୍ତି। ଆତଙ୍କୀ ଆଖିବୁଜା ଗୁଳିମାଡ଼ରେ ସ୍କୁଲର ପ୍ରିନ୍ସିପାଲ ଓ ଜଣେ ଶିକ୍ଷକ ପ୍ରାଣ ହରାଇଛନ୍ତି। ଏଥିରେ ଆଉ କିଛି ଲୋକ ଆହତ ହୋଇଥିବା ଖବର ମିଳିଛି।
କିନ୍ତୁ ଆକ୍ରମଣ ବେଳେ ସ୍କୁଲରେ ପିଲାମାନେ ଥିଲେ କି ନାହିଁ ଜଣାପଡ଼ିନି। ସେହିପରି ଆତଙ୍କବାଦୀମାନେ ସେଠାରେ ଏବେ ଅଛନ୍ତି ନା ଫେରାର ହୋଇଯାଇଛନ୍ତି, ସେକଥା ମଧ୍ୟ ସ୍ପଷ୍ଟ ହୋଇନି। କେବଳ ସ୍କୁଲରେ ହୋଇଥିବା ଆତଙ୍କୀ ହମଲାରେ ୨ ଜଣଙ୍କ ମୃତ୍ୟୁ ଖବର ମିଳିଛି।
ଜମ୍ମୁ-କଶ୍ମୀର ପୁଲିସ୍ କହିଛି ଯେ ଶ୍ରୀନଗରର ଇଦଗା ସଙ୍ଗମରେ ଥିବା ଗୋଟିଏ ସରକାରୀ ସ୍କୁଲରେ ଆତଙ୍କୀ ହମଲା ହୋଇଛି। ଏଥିରେ ସ୍କୁଲ ପ୍ରିନ୍ସିପାଲଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ପ୍ରିନ୍ସିପାଲ ସୁପିନ୍ଦର କୌର(୪୪) ଓ ଶିକ୍ଷକ ଦୀପକ ଚାନ୍ଦ। ଉଭୟ ସଙ୍ଗମରେ ଥିବା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ପିଲାମାନଙ୍କୁ ପାଠପଢ଼ାନ୍ତି।
ଗୁଳିମାଡ଼ ପରେ ସେମାନଙ୍କୁ ସୌରାରେ ଥିବା ଏସକେଆଇଏମସ୍ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତରମାନେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣା ପରେ ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ପୁଲିସ୍ କହିଛି।