ଆଫଗାନିସ୍ତାନରେ ଆତଙ୍କୀ ହମ୍ଲା : ୨୭ ମୃତ

କାବୁଲ,ଏଜେନ୍ସି : ତାଲିବାନ ଓ ଆମେରିକା ମଧ୍ୟରେ ଐତିହାସିକ ବୁଝାମଣା ହେବାପରେ ପ୍ରଥମ ଥର ପାଇଁ ଆଫଗାନିସ୍ତାନରେ ଏକ ରାଜନୈତିକ ଶୋଭାଯାତ୍ରା ଉପରେ ଆତଙ୍କୀ ହମଲା କରାଯିବା ଫଳରେ ଅନ୍ୟୂନ ୨୭ ଜଣ ପ୍ରାଣ ହରାଇଛନ୍ତି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ନଥିବାରୁ ହମ୍ଲା କରିବା ସହଜ ହେଲା ବୋଲି ଆଫଗାନ୍ ସରକାର ଅଭିଯୋଗ କରିଛନ୍ତି। ଫେବୃଆରୀ ୨୯ରେ ଆମେରିକା ଓ ତାଲିବାନ ମଧ୍ୟରେ ଶାନ୍ତି ରାଜିନାମା ହୋଇଥିଲା। ରାଜିନାମା ଅନୁସାରେ ୧୪ ମାସ ଭିତରେ ଆଫଗାନିସ୍ତାନରୁ ଆମେରିକାର ସବୁ ସେନା ଅପସାରିତ ହୋଇଯିବେ।

ଆଫଗାନ୍ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ର ନସରାତ ରାହିମିଙ୍କ ସୂଚନାନୁସାରେ ହମଲାରେ ୨୯ ଜଣ ଆହତ ହୋଇଛନ୍ତି। ତେବେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଅଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀ ନିଜାମୁଦ୍ଦିନ୍ ଜଲିଲ କହିଛନ୍ତି। ଏହି ଆକ୍ରମଣ ପାଇଁ ତାଲିବାନ ନିଜକୁ ଦାୟୀ କରିନାହିଁ। ହାଜରା ଗ୍ରୁପର ରାଜନେତା ଅବଦୁଲ ଅଲୀ ମାଜାରିଙ୍କ ସ୍ମରଣାର୍ଥେ ଅନୁଷ୍ଠିତ ଶୋଭାଯାତ୍ରା ଉପରେ ଏହି ଆକ୍ରମଣ କରାଯାଇଥିଲା। ଗତବର୍ଷ ମାଜାରିଙ୍କ ଶୋଭାଯାତ୍ରା ଉପରେ ଆଇଏସ୍ ଆତଙ୍କୀ ସଂଗଠନ ମୋର୍ଟାର ମାଡ଼ କରିଥିଲା। ଫଳରେ ଅନ୍ୟୂନ ୧୧ ଜଣ ଲୋକ ପ୍ରାଣ ହରାଇଥିଲେ। ସୋସିଆଲ ମିଡିଆରେ ପ୍ରସାରିତ ଫଟୋରେ ଆକ୍ରମଣ ସ୍ଥଳରେ ରକ୍ତାକ୍ତ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ରାଷ୍ଟ୍ରପତି ଆଶ୍ରଫ ଘନି ହମଲାକୁ କଡ଼ା ନିନ୍ଦା କରି ମାନବିକତା ପ୍ରତି ଆକ୍ରମଣ ବୋଲି କହିଛନ୍ତି।