ତିଳେଇବଣି ଆଇଟିଡିଏ କାର୍ଯ୍ୟାଳୟରେ ଟେଣ୍ଡର ଫିକ୍ସିଂ!

ଏସଏଚଜି ଗ୍ରୁପ ପାଇଁ ଯୁଟେନ୍ସିଲ ଓ କୁକୁଡ଼ା ଚାଷୀଙ୍କୁ ପୋଲଟ୍ରି ସେଡ ଯୋଗାଣରେ ଚାଲିଛି ଖେଳ

ଦେବଗଡ଼,ଏନ୍ଏନ୍ଏସ୍: ଆଦିବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ସହ ଆତ୍ମ ସ୍ୱାବଲମ୍ବୀ ଉଦେଶ୍ୟରେ (ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା) ଆଇଟିଡିଏ ଜରିଆରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ପାଇଁ ଯୋଜନା କରୁଥିବା ବେଳେ କେତେକ ଅସାଧୁ କର୍ମଚାରୀ ଓ ଅଧିକାରୀଙ୍କ ସହଭାଗିତାରେ ସରକାରୀ ଯୋଜନା ଅର୍ଥ ହରିଲୁଟ ହେଉଛି। ଶିଳ୍ପ ବିହୀନ ଦେବଗଡ଼ ଜିଲ୍ଲାର ଆଦିବାସୀ ବହୁଳ ତିଳେଇବଣି ବ୍ଲକକୁ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପରେ ଆଇଟିଡିଏ ବ୍ଲକର ମାନ୍ୟତା ମିଳିଥିଲା। ଫଳରେ ବ୍ଲକ ଅଞ୍ଚଳର ଉନ୍ନତି ହେବା ସହ ଗରିବ ଆଦିବାସୀଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚିବ ବୋଲି ଆଶା କରାଯାଉଥିଲା। କିନ୍ତୁ କେତେବେଳେ କର୍ମଚାରୀ ଅଭାବ ତ କେତେବେଳେ ଆଇଟିଡିଏ କାର୍ଯ୍ୟାଳୟର ସ୍ଥାନ ନିରୂପଣ ନେଇ ଚର୍ଚ୍ଚାରେ ରହୁଥିବା ଏହି ବିଭାଗ କାର୍ଯ୍ୟାଳୟରେ ଗତ କିଛି ବର୍ଷ ହେବ କର୍ମଚାରୀମାନେ ମନମୁଖି କାର୍ଯ୍ୟ କରିଆସୁଛନ୍ତି।

ତିଳେଇବଣି ଆଇଟିଡିଏ କାର୍ଯ୍ୟାଳୟ ପକ୍ଷରୁ ତିଳେଇବଣି ବ୍ଲକ ଅଞ୍ଚଳରେ ଥିବା ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ବାସନ କୁସନ ଯୋଗାଣ ପାଇଁ ଗତ ମେ’ ମାସ ୧୧ ତାରିଖ ଦିନ ଜିଲ୍ଲା ୱେବସାଇଟରେ ଟେଣ୍ଡର ଆହ୍ୱାନ କରାଯାଇଥିଲା। ସେହିପରି ଉକ୍ତ ବ୍ଲକର ଜନସାଧାରଣଙ୍କୁ ଆତ୍ମ ସ୍ୱାବଲମ୍ବୀ କରିବା ଉଦେଶ୍ୟରେ କୁକୁଡ଼ା ଚାଷୀଙ୍କୁ ଲୁହା ଜାଲିରେ ନିର୍ମିତ କୁକୁଡ଼ା କୋଠି ଯୋଗାଣ ପାଇଁ ମଧ୍ୟ ଟେଣ୍ଡର ଆହ୍ୱାନ କରାଯାଇଥିଲା। ତେବେ ଏହି ବାସନକୁସନ ଯୋଗାଣ ପାଇଁ ଦୁଇଟି ଅନୁଷ୍ଠାନ କାଗଜପତ୍ର ଦାଖଲ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଗୋଟିଏ ଅନୁଷ୍ଠାନକୁ ଏହି ଟେଣ୍ଡର ପ୍ରକ୍ରିୟା ପୂର୍ବରୁ ବାଦ କରିଦେଇଛନ୍ତି। ସେହିପରି ସର୍ବାଧିକ କମ ମୂଲ୍ୟ ଯୋଗାଣ କରିପାରୁଥିବା ଅନୁଷ୍ଠାନକୁ କାଟି ଅନ୍ୟ ଏକ ଭୂତ ଅନୁଷ୍ଠାନକୁ ଅନୁମୋଦନ କରାଯାଇଛି। ସେହିପରି କୁକୁଡ଼ା ଜାଲି ଘର ପାଇଁ ନିର୍ଧାରିତ ସମୟରେ ଆବଶ୍ୟକ ଯୋଗାଣକାରୀ ଅଂଶ ଗ୍ରହଣ ନକରିବାରୁ ଏହା ପାଇଁ ପୁନଃ ଟେଣ୍ଡର ଆହ୍ୱାନ କରାଯାଇଛି।

ବାସନ କୁସନ ଯୋଗାଣ ପାଇଁ କୋଟେସନ ଦାଖଲ କରିଥିବା ଅନୁଷ୍ଠାନ ଆଇଟିଡିଏର ଏହି କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଏହି କୋଟେସନ ମଞ୍ଜୁରି ପଛରେ ଲକ୍ଷାଧିକ ଟଙ୍କାର ଲାଞ୍ଚ କାରବାର ହୋଇଥିବା ଅଭିଯୋଗ କରିଛନ୍ତି। ସେହିପରି ଆଇଟିଡିଏ ପକ୍ଷରୁ କରାଯାଇଥିବା ଏହି ବେଆଇନ କାର୍ଯ୍ୟ ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ ହୋଇଥିବା ଜଣାପଡିଛି।

କେବଳ ଏତିକି ନୁହେଁ ବର୍ଷବର୍ଷ ଧରି ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ନାମରେ ବିଭାଗୀୟ କେତେକ ଅସାଧୁ କର୍ମଚାରୀ ସରକାରୀ ଅର୍ଥ ଆତ୍ମସାତରେ ବ୍ୟସ୍ତ ରହୁଥିବାରୁ ଆଇଟିଡିଏ ବ୍ଲକ ଘୋଷଣାର ପ୍ରକୃତ ମୂଲ୍ୟ ଗରିବ ଆଦିବାସୀଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଏନେଇ ତିଳେଇବଣି ବ୍ଲକ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବ୍ରଜବନ୍ଧୁ ଭୋଇଙ୍କ ମତାମତ ନେବାରୁ ସେ ସବୁକିଛି ଠିକ ଥିବା କହି କୋଟେସନ ଆହ୍ୱାନ ସମ୍ପର୍କିତ ପ୍ରଶ୍ନକୁ ଏଡାଇ ଦେଇଥିଲେ। ତେବେ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଆଇଟିଡିଏ କାର୍ଯ୍ୟାଳୟର ବିଭିନ୍ନ ପ୍ରକଳ୍ପ ଓ ଟେଣ୍ଡର ପ୍ରକ୍ରିୟା ରେ ହେଉଥିବା ଅନିୟମିତତାକୁ ଯାଞ୍ଚ ପ୍ରକ୍ରିୟାରେ ସାମିଲ କରି ତଦନ୍ତ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।