ରାଜ୍ୟରେ ବଢିବ ତାତି

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଏବେଠୁ ତାତି ବଢ଼ିବ। ଆସନ୍ତା ୫ ଦିନ ପାଗ ଶୁଖିଳା ରହିବା ସହ ଖରାଟିଆ ରହିବ। ଦିନ ଓ ରାତି ତାପମାତ୍ରା ୪ରୁ ୫ ଡିଗ୍ରୀ ଯାଏ ବୃଦ୍ଧିପାଇବ। ରାଜ୍ୟର ଅଳ୍ପ କିଛି ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର କୁହୁଡ଼ି ନଜରକୁ ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ବୁଧବାର ପ୍ରକାଶ ପାଇଛି। ଆସନ୍ତା ୧୦ ଦିନ ଯାଏ ଶୀତ ଲେଉଟିବା ସମ୍ଭାବନା କମ୍ ରହିଛି। ଅନୁମାନ କରାଯାଉଛି ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୧୧ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବୃଦ୍ଧିପାଇବ। ସେହିପରି ୧୧ ଓ ୧୨ରେ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ୩ ଦିନ ପରେ ତାପମାତ୍ରା ଆଉ ୩ ଡିଗ୍ରୀ ବଢ଼ିବ। ଆଭ୍ୟନ୍ତରୀଣ ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ୧୩ ସୁଦ୍ଧା ସ୍ୱାଭାବିକ ତାପାମତ୍ରାଠାରୁ ଏହା ପ୍ରାୟ ୪ ଡିଗ୍ରୀ ଅଧିକ ରହିବ। ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ୮ରୁ ସର୍ବାଧିକ ତାପମାତ୍ରା କ୍ରମଶଃ ବୃଦ୍ଧିପାଇଥିବାବେଳେ ୧୫ ସୁଦ୍ଧା ଏହା ପ୍ରାୟ ୬ ଡିଗ୍ରୀ ଯାଏ ବଢ଼ିବ। ଉପକୂଳ ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ବଢ଼ିବ ଏବଂ ୧୪ ସୁଦ୍ଧା ପ୍ରାୟ ୪ ଡିଗ୍ରୀ ଅଧିକ ରହିବ। ସର୍ବାଧିକ ତାପମାତ୍ରା ୧୧ ସୁଦ୍ଧା ପ୍ରାୟ ୫ ଡିଗ୍ରୀ ବଢ଼ିପାରେ।