ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଉତ୍ତାପ ଧୀରେ ଧୀରେ ବଢିଚାଲିଛି। କିଛି ଜିଲ୍ଲାରେ ଦିନବେଳା ତାପମାତ୍ରା ୪୦ ପାଖାପାଖି ହୋଇଗଲାଣି। ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ରାଜ୍ୟର ଅନେକ ଜିଲ୍ଲା ପାଇଁ ଉତ୍ତାପ ତରଙ୍ଗ ଚେତାବନୀ ଦିଆଯାଇଛି। ତେବେ ଓଡ଼ିଶାରେ ବୁଧବାରଠାରୁ ଗରମ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି।
ଆଗାମୀ ୨ ଦିନ ପରେ ରାଜ୍ୟକୁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ-ଉତ୍ତପ୍ତ ବାୟୁ ପ୍ରବାହ ଶକ୍ତିଶାଳୀ ହେବା ସହ ଦିନ ତାପମାତ୍ରାରେ ୩ରୁ ୪ଡ଼ିଗ୍ରୀ ଯାଏଁ ବୃଦ୍ଧି ସହ ଓଡ଼ିଶାର କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ଆଜି ଦିନ ୨ ଘଟିକା ୩୦ ମିନିଟ ସୁଦ୍ଧା ଭୁବନେଶ୍ୱରରେ ଦିନ ତାପମାତ୍ରା ୩୬ଡ଼ିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ସେହିଭଳି ସମ୍ବଲପୁର ୩୬.୬ ସେଲସିୟସ, ଝାରସୁଗୁଡା ୩୬.୪ ସେଲସିୟସ, ହୀରାକୁଦ ୩୫.୮, ବାଲେଶ୍ୱର ୩୫, ଚାନ୍ଦବାଲି ୩୪, ଗୋପାଳପୁର ୩୩.୪, କେନ୍ଦୁଝର ୩୩, ପୁରୀ ୩୧.୨, ପାରାଦୀପ ୩୦ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।
ମାର୍ଚ୍ଚ ୧୫ ରୁ ୧୬ ମଧ୍ୟରେ ବାଲାଙ୍ଗିର, ସୋନପୁର, ବୌଦ୍ଧ ଏବଂ ଅନୁଗୁଳ ଜିଲ୍ଲା ଉପରେ ଏକ କିମ୍ବା ଦୁଇଟି ସ୍ଥାନରେ ଉତ୍ତାପ ତରଙ୍ଗ ଅବସ୍ଥା ଅଧିକ ହେବାର ସମ୍ଭାବନା ରହିଛି। ସେହିଭଳି ମାର୍ଚ୍ଚ ୧୬ ରୁ ୧୭ ମଧ୍ୟରେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼ ଏବଂ ଖୋର୍ଦ୍ଦା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଏହିପରି ପାଗର ରହିବାର ସମ୍ଭାବନା ରହିଛି।