ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଅସହ୍ୟ ଶୀତରେ ଥରୁଛି ସାରା ଦାରିଙ୍ଗବାଡ଼ି। ବର୍ତ୍ତମାନ ଦାରିଙ୍ଗବାଡିର ତାପମାତ୍ରା ୭ଡ଼ିଗ୍ରୀକୁ ଖସିଆସିଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅଞ୍ଚଳରେ ମେଘୁଆ ପାଗ ଛାଡ଼ିଯିବା ପରେ ଗତ ବୁଧବାର ରାତିରୁ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ି ବ୍ଲକ୍ରକିଲାବାଡ଼ି, ଲଦପଙ୍କା, ପ୍ଲିହେରୀ ଓ ମୁକଚେରୀ ସିମନବାଡ଼ି, କିରିକୁଟୀ ଗଦାପୁର, ସିର୍କାବର୍ଗ ଆଦି ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହୋଇଛି। ୨ ଦିନ ହେବ ଆକାଶ ମେଘମୁକ୍ତ ହେବା ପରେ ଅଞ୍ଚଳକୁ ଶୀତ ଫେରିଛି।
ବୁଧବାର ଦିନ ଦାରିଙ୍ଗବାଡ଼ିର ତାପମାତ୍ରା ୯.୫ ଡିଗ୍ରୀ ରହିଥିବା ବେଳେ ତାହା ଗତକାଲି ୯ ଡିଗ୍ରୀ ରହିଥିଲା। ତେବେ ଗୁରବାର ସନ୍ଧ୍ୟାରୁ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହୋଇଛି। ତେବେ ଗୋଟିଏ ଦିନରେ ପାରଦ ୨ଡିଗ୍ରୀ ତଳକୁ ଖସି ଆସି ୭ ଡିଗ୍ରୀରେ ପହଞ୍ଚିଛି। ଯାହାକି ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ବୋଲି ଦାରିଙ୍ଗବାଡ଼ି ବ୍ଲକ୍ର ପାଣିପାଗ ବିଭାଗ କର୍ମକର୍ତ୍ତା ପୁରୁଷୋତ୍ତମ ସାହୁ ସୁଚନା ପ୍ରକାଶ କରିଛନ୍ତି।
ଅନ୍ୟ ପକ୍ଷରେ ଆଗାମୀ ଦିନରେ ଦାରିଙ୍ଗବାଡ଼ିରେ ଶୀତର ପ୍ରକୋପ ବୃଦ୍ଧି ପାଇବା ସହିତ ତୁଷାରପାତ ଏବଂ କିଛି ଦିନ ମଧ୍ୟରେ ଅଞ୍ଚଳରେ ବରଫପାତ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପ୍ରବଳ ଶୀତ କାରଣରୁ ଲୋକେ ଦିନ ତମାମ୍ ଗରମ ପୋଷାକ ପିନ୍ଧିବା ସହ ନିଆଁ ଜାଳି ବସୁଛନ୍ତି। ଏପରିକି ଚାଷୀ ଆଜି ଦିନ ତମାମ ଚାଷକ୍ଷେତକୁ ମଧ୍ୟଯାଇପାରିନାହିଁ। ଅନ୍ୟପଟେ ଏହି ଶୀତରେ ଲେକାମାନେ ଚା’ଦୋକାନରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି।
ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ ହେଉଥିବାରୁ ପ୍ରଶାସନ ତରଫରୁ କୌଣସି ଶୀତକାଳୀନ ରାତ୍ରି ଆଶ୍ରୟସ୍ଥଳୀ ଖେଲାଯାଇନାହିଁ। ଫଳରେ ଉକ୍ତ ଅଞ୍ଚଳକୁ ବିଭିନ୍ନ ଅଞ୍ଚଳକୁ ଯାତ୍ରା କରୁଥିବା ଯାତ୍ରୀମାନେ ଥଣ୍ଡା କାକରରେ ବସିବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ତୁରନ୍ତ ସେମାନଙ୍କ ପାଇଁ ଶୀତକାଳୀନ ରାତ୍ରି ଆଶ୍ରୟସ୍ଥଳୀ ଖୋଲିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।