ତେଲେଙ୍ଗାନାରେ ଲାଗୁ ହେବ ନାହିଁ ନୂଆ ମୋଟର ଯାନ ଆଇନ

ଆନ୍ଧ୍ରପ୍ରଦେଶ,ଏଜେନ୍ସି: ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଥିବାବେଳେ ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି କରାଯାଇଛି । ଫଳରେ ଲୋକଙ୍କ ମନରେ ଡର ଦେଖିବାକୁ ମିଳୁଛି  । ଏହି ନିୟମକୁ ଭାଙ୍ଗିଲେ ଭାରି ମାତ୍ରାରେ ଜୋରିମାନା ଦେବାକୁ ପଡ଼ିବ। ତେବେ ଫାଇନରୁ ବଞ୍ଚିବା ପାଇଁ ଲୋକମାନେ ଆରଟିଓଅଫିସମାନଙ୍କରେ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହୋଇ ଗାଡିର କାଗଜପତ୍ର ଠିକ୍ କରୁଛନ୍ତି। ତେବେ ଏହି ନିଷ୍ପତ୍ତିରେ କିଛି ରାଜ୍ୟ ସରକାର ଆପତ୍ତି ଉଠାଇଛନ୍ତି । ଏହି ପରି ଭାବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ବଜେଟ୍ ସର୍ତ୍ତ ସମୟରେ ବିଧାନସଭାରେ ଏହି ନିୟମକୁ ଲାଗୁ କରିବେ ନାହିଁ ବୋଲି କହିଥିଲେ ।

ରାଜ୍ୟ ସରକାର ଟ୍ରାଫିକ୍‌ ନିୟମରେ ସୁଧାର ଆଣିବା ପାଇଁ ଅନ୍ୟ ପନ୍ଥା ଆପଣାଇବ କିନ୍ତୁ ଲୋକଙ୍କୁ ଆର୍ଥିକ ବୋଝର ଚାପ ତଳେ ରଖିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଟ୍ରାଫିକ୍ ନିୟମର ଉଲ୍ଲଂଘନ କରିବା ଦ୍ୱାରା ଜୋରିମାନା ରାଶିକୁ ବଢ଼ାଇବା ମୋଟର୍ ଯାନ ଆଇନ ଏବେ ବିବାଦ ଘେରକୁ ଚାଲିଆସିଛି । କିଛି ରାଜ୍ୟ ଜନତାଙ୍କ ଉପରେ ଏହାର ବୋଝ ପଡ଼ିବ ବୋଲି କହି ଏହି ନିୟମକୁ ଆପଣାଇ ନାହାନ୍ତି ।