ପାକ ସୀମାରେ ମୁତୟନ ହେଲା ସ୍ୱଦେଶୀ ଲଢ଼ୁଆ ବିମାନ ‘ତେଜସ’

ନୂଆଦିଲ୍ଲୀ,ଏଜେନ୍ସି: ଚାଇନା ଓ ପାକିସ୍ତାନ ସହ ଦୀର୍ଘଦିନ ହେବ ଚାଲିଥିବା ସୀମା ବିବାଦକୁ ନେଇ ଭାରତ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଚୀନ ସୀମାରେ ଭାରତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମୁତୟନ କରିଥିବାବେଳେ ଏବେ ପାକିସ୍ତାନ ସୀମାରେ ମଧ୍ୟ ସମାନ ପଦକ୍ଷେପ ନେଇଛି। ପାକିସ୍ତାନ ପଟୁ ବରାବର ବିପଦ ଲାଗିରହିଥିବାରୁ ଏହାର ଉଭୟ ଉତ୍ତର ଓ ପଶ୍ଚିମ ସୀମାରେ ଭାରତ ପକ୍ଷରୁ ସାମରିକ ପ୍ରସ୍ତୁତି ଜୋର୍‌ଦାର ହୋଇଛି।

ଲଦାଖ ସୀମାରେ ସୁଖୋଇ, ଜାଗୁଆର, ରାଫେଲ ପରି ଯୁଦ୍ଧ ବିମାନ ମୁତୟନ କରିବା ପରେ ମଙ୍ଗଳବାର ପାକିସ୍ତାନ ସୀମାରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଲଢ଼ୁଆ ବିମାନ ‘ତେଜସ୍‌’ ମୁତୟନ କରିଛି। ତେଜସ୍‌ର ଗୋଟିଏ ସ୍କ୍ବାର୍ଡନକୁ ପଶ୍ଚିମ ସୀମାର ଆଗୁଆ ଘାଟି ଅଞ୍ଚଳରେ ମୁତୟନ କରାଯାଇଛି। ତେଜସ୍‌ ରାଷ୍ଟ୍ରାୟତ୍ତ ସଂସ୍ଥା ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ (ହାଲ୍‌) ଦ୍ୱାରା ନିର୍ମିତ। ଏଭଳି ଅଧିକ ୮୩ଟି ଯୁଦ୍ଧବିମାନ କିଣିବା ପାଇଁ ଭାରତୀୟ ବାୟୁସେନା ‘ହାଲ’କୁ ବରାଦ ଦେଇଛି।