ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ କିଶୋର, ୭ ବର୍ଷ ତଳେ ଚଣ୍ଡିଖୋଲ ବଜାରରେ ହତ୍ୟା କରିଥିଲା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଅପରାଧ ଥିଲା ତା’ର ପେସା। ବନ୍ଧୁକ ଚଳାଇବା ଥିଲା ନିଶା। କେତେବେଳେ ବନ୍ଧୁକରେ ଖେଳୁଥିଲା ତ ପୁଣି କେବେ ଫୁଟାଉଥିଲା। ଦାଦାବଟି ହେଉ କି ଜମି ବିବାଦ। ସବୁଠି ଗୁଣ୍ଡାଗିରି ପାଇଁ କିଶୋରକୁ ଖୋଜାପଡୁଥିଲା। ହେଲେ ଏହି ଦାଦାଗିରି ବେଶି ଦିନ ତିଷ୍ଠିଲା ନାହିଁ। ଶେଷରେ ପୁଲିସ ପଞ୍ଝାରେ କିଶୋର ଧରାପଡ଼ିଲା।

କଟକ, କେନ୍ଦ୍ରାପଡ଼ା, ଯାଜପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ମୁନୁ ବା ଧଣ୍ଡୁଆ ଓରଫ କିଶୋର କୁମାର ମହାରଣାକୁ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌(ସ୍ପେଶାଲ ଟାସ୍କ ଫୋର୍ସ) ଗିରଫ କରିଛି। ୭ବର୍ଷ ତଳର ଏକ ହତ୍ୟା ମାମଲାରେ ଏସ୍‌ଟିଏଫ୍ ତାକୁ ଖୋଜୁଥିବାବେଳେ ଗୁରୁବାର ସେ ଧରାପଡ଼ିଛି। ତା’ ଠାରୁ ଗୋଟିଏ ୯ ଏମ୍‌ଏମ୍ ପିସ୍ତଲ, ୫ରାଉଣ୍ଡ ଅଫୁଟାଗୁଳି ଓ ଗୋଟିଏ ମୋବାଇଲ ଜବତ କରାଯାଇଛି।

ଏନେଇ ଏସ୍‌ଟିଏଫ୍ କେସ୍ ନଂ ୪/୨୦୨୨ରେ ଏକ ମାମଲା ରୁଜୁ କରି କିଶୋରଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏସମ୍ପର୍କରେ ଏସ୍‌ଟିଏଫ୍ ଏସ୍‌ପି ତେଜରାଜ ପଟେଲ ଗଣମାଧ୍ୟମକୁ କହିଛନ୍ତି, କିଶୋର ଜଣା ଦୁର୍ଦ୍ଦାନ୍ତ ଅପରାଧୀ ହୋଇଥିବା ବେଳେ ବନ୍ଧୁକରେ ସେ ସବୁବେଳେ ଖେଳେ। ଏଥିସହ ଅପରାଧ ମଧ୍ୟ ଘଟାଏ ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ, ଅଭିଯୁକ୍ତ କିଶୋର ଜଣେ କୁଖ୍ୟାତ ଅପରାଧୀ। ତା’ ଘର କଟକ ସଦର ଥାନା ଅନ୍ତର୍ଗତ ଖଲରଦା ଅଞ୍ଚଳରେ। କଟକ, କେନ୍ଦ୍ରାପଡ଼ା, ଯାଜପୁର ଓ ରାଜଧାନୀରେ କିଶୋର ଅପରାଧ ଘଟାଇ ଆତଙ୍କ ସୃଷ୍ଟି କରୁଥିଲା। ହେଲେ ପୁଲିସ ହାତରେ କେବେ ଧରାପଡୁନଥିଲା। ୨୦୧୪ ମସିହା ମେ’ ୧୭ ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେ ତା’ର ୨ଜଣ ସହଯୋଗୀଙ୍କ ସହ ମିଶି ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ସୁଙ୍ଗୁଡ଼ା ଗ୍ରାମର ଦୀପକ ନାଏକଙ୍କୁ ଚଣ୍ଡିଖୋଲ ବଜାରରେ ଗୁଳି କରି ହତ୍ୟା କରିଥିଲା।

ଏହି ଘଟଣା ସେତେବେଳେ ଚଣ୍ଡିଖୋଲ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏସ୍‌ଟିଏଫ୍ ମାମଲାକୁ ନେଇଥିଲା। ଏସ୍‌ଟିଏଫ୍ କେସ୍ ନଂ ୬/୨୦୧୪ରେ ହତ୍ୟା ଓ ଅସ୍ତ୍ରଶସ୍ତ୍ର ଆଇନରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ପୂର୍ବରୁ ତାଙ୍କର ୨ସହଯୋଗୀ ଗିରଫ ହୋଇଥିବାବେଳେ କିଶୋର ଫେରାର ଥିଲେ। ଏସ୍‌ଟିଏଫ୍ ସମେତ କେନ୍ଦ୍ରାପଡ଼ା ଥାନାରେ କେସ୍ ନଂ ୧୩୭/୨୦୧୫ରେ କିଶୋର ବିରୋଧରେ ଏକ ମାମଲା ରହିଥିବା ସୂଚନା ମିଳିଛି।