ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ପାଇଁ ଜମି ପରିଦର୍ଶନ କଲେ ବୈଷୟିକ କମିଟି

ପୁରୀ,ଏନ୍‌ଏନ୍‌ଏସ୍‌: ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଓ ପର୍ଯ୍ୟଟନସ୍ଥଳୀ ପୁରୀରେ ପ୍ରତିଷ୍ଠିତ ହେବ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର। ପ୍ରସ୍ତାବିତ ବିମାନବନ୍ଦର ପାଇଁ ସ୍ଥାନ ନିରୂପଣ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଆସି କ୍ଷେତ୍ର ପରିଦର୍ଶନ କରିଛନ୍ତି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ୩ ଜଣିଆ ବୈଷୟିକ ବିଶେଷଜ୍ଞ ଟିମ୍। ଗତ ଜାନୁଆରୀ ମାସରେ ପୁରୀରେ ଏହି ବିମାନବନ୍ଦର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ତଦନୁଯାୟୀ ୩ ଜଣିଆ ବୈଷୟିକ ଟିମ୍ ସିପସରୁବାଲି ମୌଜା ମଙ୍ଗଳା ନଦୀ ନିକଟରେ ଥିବା ଗିରଳ ଅଞ୍ଚଳ ପରିଦର୍ଶନ କରିଥିଲେ। ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବିଶେଷଜ୍ଞ ଟିମ୍‌ଙ୍କ ସହ ଯାଇ ବିମାନବନ୍ଦର ପାଇଁ ପ୍ରସ୍ତାବିତ ଜମି ଦେଖାଇଥିଲେ।

ପ୍ରସ୍ତାବିତ ଜମି ପରିଦର୍ଶନ ପରେ ସର୍କିଟ୍ ହାଉସ୍‌ଠାରେ ବୈଷୟିକ ଟିମ୍ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ସମର୍ଥ ବର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ। ସର୍କିଟ୍ ହାଉସ୍‌ଠାରେ ଅନୁଷ୍ଠିତ ଏହି ବୈଠକରେ ବୈଷୟିକ ଟିମ୍ ସହ ବିମାନବନ୍ଦର ପାଇଁ ଉଦ୍ଦିଷ୍ଟ ଜମିର ଭୌଗୋଳିକ ଅବସ୍ଥିତି, ବିମାନବନ୍ଦରର ଅର୍ଥନୈତିକ ସୁଯୋଗ, ବାୟୁ ପ୍ରବାହ ଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରକାଶ କରିଛନ୍ତି ଯେ ଏହି ୩ ଜଣିଆ କମିଟିରେ ସ୍ଥାପତ୍ୟ ବିଶେଷଜ୍ଞ ଓ ଅନ୍ୟ ବିଶେଷଜ୍ଞମାନେ ଅନ୍ତର୍ଭୁକ୍ତ ଥିଲେ। ପ୍ରସ୍ତାବିତ ବିମାନବନ୍ଦରର ‘ପ୍ରାକ୍ ଫିଜିବିଲିଟି’ ସମ୍ପର୍କରେ ଅନୁଧ୍ୟାନ ପାଇଁ ଆସିଥିବା ଏହି ଟିମ୍‌କୁ ପ୍ରସ୍ତାବିତ ସ୍ଥାନ ଦେଖାଇ ଦିଆଯାଇଛି। ପରେ ସେମାନଙ୍କ ଦ୍ୱାରା ରିପୋର୍ଟ ପ୍ରସ୍ତୁତ କରାଯିବ।

ଶୁକ୍ରବାର ଟିମ୍ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସିପସରୁବାଲି ମୌଜା ମଙ୍ଗଳା ନଦୀ ପାଖ ଗିରଳରେ ପ୍ରାୟ ୧୫୦୦ ଏକର ଜମି ରହିଛି। ଏହି ଜମିରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଛି। ଏସବୁ ଜମି ରାଜସ୍ୱ ବିଭାଗକୁ ହସ୍ତାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଏହି କେନ୍ଦ୍ରୀୟ ଟିମ୍‌ରେ ଶାନ୍ତନୁ ଫାଲନିକର୍‌, ବି. ବିନୋଦ କୁମାର ପିଲାଇ ଓ ସୁଶୀଲ ବର୍ମା ସାମିଲ ଥିଲେ। ଜମି ପରିଦର୍ଶନ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଏଫ୍‌ଓ ପି. ରାମସ୍ୱାମୀ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ ଓ ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।