ବାଲିଗୁଡ଼ା,ଏନ୍ଏନ୍ଏସ୍: ଜଳିଗଲା ଚା’ ଦୋକାନ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଗଲା । ଏଭଳି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ ନିକଟସ୍ଥ ବୁଡ଼ାଗୁଡ଼ା ଯିବା ରାସ୍ତା ଛକ ନିକଟରେ ଦେଖିବାକୁ ମିଳିଛି । ଘଟଣା ପ୍ରକାରେ ଗୁରୁବାର ରାତି ୧୦ଟା ପରେ ଚା’ ଦୋକାନୀ ଦୋକାନ ବନ୍ଦ କରି ଘରକୁ ଚାଲି ଯାଇଥିଲେ । ପାଖାପାଖି ରାତି ୧୧ଟା ସମୟରେ ଦୋକାନ ଭିତରୁ ଧୁଆଁ ବାହାରୁଥିବା ଦେଖି ଆଖପାଖ ଦୋକାନୀ ଏକାଠି ହୋଇ ଦୋକାନରେ ନିଆଁ ଲାଗିଥିଲା ଜାଣି ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଦୋକାନର ସମସ୍ତ ସାମଗ୍ରୀ ଓ ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ଦୋକାନରେ ଥିବା ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବା କୁହାଯାଉଛି । ତେବେ ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଜଣାପଡ଼ି ନାହିଁ ।