ଶିକ୍ଷକଙ୍କୁ ମିଳିବ ସ୍ୱତନ୍ତ୍ର ନନଫର୍ମାଲ ପ୍ରଶିକ୍ଷଣ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ସ୍କୁଲ ଖୋଲିବା ପରେ ଶିକ୍ଷାଦାନ ବ୍ୟବସ୍ଥା ଏବଂ ପରିଚାଳନା ବ୍ୟବସ୍ଥାରେ ସୁଧାର ଆଣିବା ସହ ପାଠପଢ଼ା ବ୍ୟବସ୍ଥାକୁ ତ୍ୱରାନ୍ନିତ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା କରାଯାଇଛି। ବିଶେଷକରି ସ୍କୁଲଗୁଡ଼ିକର ଭିତ୍ତିଭୂମିରେ ବିକାଶ, ଶିକ୍ଷକଙ୍କ ଦକ୍ଷତା ଯାଞ୍ଚ, ପିଲାଙ୍କ ଆଧାର ଲିଙ୍କ୍ ବ୍ୟବସ୍ଥା, ଭୂତ ଶିକ୍ଷକ ଓ ପିଲାଙ୍କ ତାଲିକା ପ୍ରକାଶ କରି ରାଜ୍ୟରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୁଣି ଏକ ଐତିହାସିକ ପଦକ୍ଷେପ ନିଆଯାଇଛି। ସରକାରୀ ସ୍କୁଲରେ ପିଲାଙ୍କୁ କିପରି ସହଜ ଓ ସରଳ ଭାବେ ଶିକ୍ଷାଦାନ କରାଯିବ ସେ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି।

ଗତ କିଛି ବର୍ଷ ହେବ ସରକାରୀ ସ୍କୁଲର ରେଜଲ୍ଟ ସରସ୍ୱତୀ ଶିଶୁମନ୍ଦିର ତଥା ଅନ୍ୟାନ୍ୟ ଘରୋଇ ସ୍କୁଲ ତୁଳନାରେ ହ୍ରାସ ପାଇଛି। ସରକାରୀ ସ୍କୁଲଗୁଡିକରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କୋର୍ସ ଶେଷ ହେଉଥିବା ବେଳେ ଦକ୍ଷ ଶିକ୍ଷକ ମଧ୍ୟ ନିଯୁକ୍ତ ହୋଇଛନ୍ତି। ତଥାପି ରେଜଲ୍ଟରେ ସରକାରୀ ସ୍କୁଲ ଭଲ ପ୍ରଦର୍ଶନ ନକରିବା ଚିନ୍ତାର କାରଣ ପାଲଟିଛି। କେଉଁ ପଦ୍ଧତିରେ ଘରୋଇ ସ୍କୁଲଗୁଡିକରେ ପାଠପଢ଼ା ହେଉଛି ଏବଂ ସମ୍ପୃକ୍ତ ସ୍କୁଲରେ ପିଲାଙ୍କୁ କେଉଁ ଢ଼ାଞ୍ଚାରେ ଶିକ୍ଷାଦାନ ଦିଆଯାଉଛି ସେହି ପ୍ରଶିକ୍ଷଣ ସରକାରୀ ସ୍କୁଲ ଶିକ୍ଷକଙ୍କୁ ମଧ୍ୟ ପ୍ରଦାନ କରାଯିବ। ତେବେ ଏନେଇ ଶିକ୍ଷକଙ୍କୁ ସ୍ୱତନ୍ତ୍ର ନନଫର୍ମାଲ ଟ୍ରେନିଂ ଦେବାକୁ ନିଷ୍ପତ୍ତି ହୋଇଛି। ଯେଉଁଥିରେ ଶିକ୍ଷକମାନେ କିପରି ସହଜ ଏବଂ ସରଳ ଭାବେ ପିଲାଙ୍କୁ ଶିକ୍ଷାଦାନ କରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ।

ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୯ଲକ୍ଷ ୭୨ହଜାର ୮୭୦ଜଣ । ପ୍ରଥମରୁ ୫ମ ଶ୍ରେଣୀ ମଧ୍ୟରେ ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୭ଲକ୍ଷ ୭୧ହଜାର୨୪୯ ଥିବା ବେଳେ ପଞ୍ଚମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ମୋଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୨ଲକ୍ଷ ୧ହଜାର ୬୨୧ ରହିଛି। ତେବେ ସରକାର ଶିକ୍ଷକଙ୍କ ନିଯୁକ୍ତି ସମୟରେ ଶିକ୍ଷକଙ୍କ ଦକ୍ଷତାକୁ ଯାଞ୍ଚ କରୁଛନ୍ତି। ଓଟିଇଟି ପାସ୍କୁ ମୁଖ୍ୟ ମାନଦଣ୍ଡ ଭାବେ ସରକାର ଗ୍ରହଣ କରୁଥିବା ପରବର୍ତ୍ତୀ ସମୟରେ ଶିକ୍ଷକଙ୍କ ଶିକ୍ଷାଦାନ କିପରି ରହୁଛି ସେ ସବୁକୁ ଗୁରୁତ୍ୱ ଦିଆଯାଉନଥିଲା। ଫଳରେ ପିଲାଙ୍କ ରେଜଲ୍ଟ ଆଖିଦୃଶିଆ ହେଉନାହିଁ। ରାଜ୍ୟରେ ପ୍ରାଥମିକ ଶିକ୍ଷା ଲାଗି ୧ଲକ୍ଷ ୩୦ହଜାର ୫୧୬ ଏବଂ ଉଚ୍ଚପ୍ରାଥମିକ ଶିକ୍ଷା ଲାଗି ୬୬ହଜାର ୮୧୦ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଏହି ପ୍ରଶିକ୍ଷଣ ବ୍ୟବସ୍ଥାରେ କେବଳ ପ୍ରାଥମିକ ଶିକ୍ଷକଙ୍କୁ ସାମିଲ କରାଯିବ। ରାଜ୍ୟରେ ଜିଲ୍ଲାୱାରୀ ଏହି ପ୍ରଶିକ୍ଷଣ ଦିଆଯିବ। ପ୍ରଶିକ୍ଷଣ ଲାଗି ସମସ୍ତ ଖର୍ଚ୍ଚ ସ୍କୁଲ ଓ ଗଣଶିକ୍ଷା ବିଭାଗ ବହନ କରିବ। ପ୍ରଶିକ୍ଷଣ ଶେଷ ହେବା ପରେ ଟେଷ୍ଟ ରିପୋର୍ଟ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ଏବଂ ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରଦାନ କରିବେ। ଦୈନିକ ୮ଘଣ୍ଟା ଧରି ପ୍ରଶିକ୍ଷଣ ଦିଆଯିବ। ପ୍ରଶିକ୍ଷଣ ସହିତ ଘରୋଇ ସ୍କୁଲଗୁଡିକରେ ପିଲାଙ୍କ ସହିତ ଆଲୋଚନା ଏବଂ ସ୍କୁଲରେ ଶିକ୍ଷକ ଓ ପିଲାଙ୍କ ମଧ୍ୟରେ କିପରି ସମ୍ପର୍କ ରହୁଛି ସେ ସମ୍ପର୍କରେ ମଧ୍ୟ ଅବଗତ ହେବେ।

ଏହି ବ୍ୟବସ୍ଥାରେ ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜଣାପଡିଛି। ଗୁଣାତ୍ମକ ଶିକ୍ଷା ଏବଂ ସବୁ ପିଲା ଯେପରି ସମାନ ଦକ୍ଷତା ହାସଲ କରିବେ ତାହା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ବୋଲି ଗଣଶିକ୍ଷା ବିଭାଗର ଜଣେ ଯୁଗ୍ମ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଫର୍ମାଲ ପଦ୍ଧତି ଅପେକ୍ଷା ପିଲାମାନେ ନନଫର୍ମାଲ ବ୍ୟବସ୍ଥାରେ ଶୀଘ୍ର ପାଠ ମନେରଖନ୍ତି। ବିଷୟ ଭିତ୍ତିକ ପାଠପଢ଼ା ବ୍ୟତୀତ ପିଲାଙ୍କର ଆଉଟନଲେଜ ବୃଦ୍ଧି ଲାଗି ମଧ୍ୟ ଗୁରୁତ୍ୱ ଦିଆଯାଉଛି।