ଛାତ୍ରଛାତ୍ରୀଙ୍କ ଘରେ ବହି ପହଂଚାଇବେ ଶିକ୍ଷକ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ମହାମାରୀ କରୋନା ଭାଇରସ ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ମେ’ ୧୭ ତାରିଖ ଯାଏଁ ବନ୍ଦ ରଖିବାପାଇଁ ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାରି ମଧ୍ୟରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଥିବାରୁ ପିଲାମାନେ କିପରି ପାଠ ପଢିବେ ସେ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ରହିଛନ୍ତି । ଲକ୍ ଡାଉନ୍ ପାଇଁ ସରକାରୀ ସ୍କୁଲରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପରୀକ୍ଷା ହୋଇ ନପାରିବାରୁ ସରକାର ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପାସ୍ କରାଇଦେଇଥିଲେ । ପାସ୍ ହେବାପରେ ନୂତନ ଶ୍ରେଣୀଙ୍କୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଖରେ ବହି ନଥିବା କାରଣରୁ କେମିତି ପାଠ ପଢିବେ ସେ ନେଇ ଅଭିଭାବକମାନେ ଚିନ୍ତାରେ ରହିଥିଲେ ।

ଯାହାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଘରେ ବହି ପହଂଚାଇବା ପାଇଁ ବ୍ୟବସ୍ଥା କରାଯାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସୂଚନା ଅନୁସାରେ, ଶିକ୍ଷକମାନେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ଘରେ ବହି ପହଂଚାଇବେ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ବହି ବ୍ଲକ ଓ ସ୍କୁଲରେ ପହଂଚି ଯାଇଛି। ୨୫ ସୁଦ୍ଧା ପିଲାମାନଙ୍କ ପାଖରେ ବହି ପହଂଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ପିଲାମାନେ ବହି ନେବାକୁ ସ୍କୁଲ ଆସିବେନି। ଶିକ୍ଷକମାନେ ସେମାନଙ୍କ ଘରେ ବହି ଦେଇ ଆସିବେ।