ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଉଚ୍ଚଶିକ୍ଷାରେ ସୁଧାର ଆଣିବା ସହ ଗୁଣାତ୍ମକ ଶିକ୍ଷା ଓ କ୍ୟାମ୍ପସରେ ପିଲାଙ୍କ ସମସ୍ୟାର ସମାଧାନ ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିରେ ଶିକ୍ଷାଦାନ କ୍ଷେତ୍ରରେ ଅଧ୍ୟାପକଙ୍କ ଦକ୍ଷତା ଓ ଶିକ୍ଷାଦାନ ଶୈଳୀ କିପରି ରହିଛି ତାହାର ଅନୁଧ୍ୟାନ କରାଯିବ। ଏନେଇ ଜାନୁଆରୀରୁ ରାଜ୍ୟରେ ଥିବା ସବୁ ଡିଗ୍ରୀ କଲେଜରେ ଶିକ୍ଷାଦାନ କରୁଥିବା ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଦକ୍ଷତା ଯାଞ୍ଚ କରାଯିବ।
ପୂର୍ବରୁ ଅଧ୍ୟାପକ, ଅଧ୍ୟାପିକାଙ୍କ ଲାଗି ୭ଘଣ୍ଟା ବାଧ୍ୟତାମୂଳକ ଏବଂ ସେମାନଙ୍କ ଲାଗି ବାୟୋମେଟ୍ରିକ ବ୍ୟବସ୍ଥା ହୋଇଥିବା ବେଳେ ପୁଣି ଲାଗୁ ହେବାକୁ ଥିବା ଏପରି ବ୍ୟବସ୍ଥାକୁ ମଧ୍ୟ ସବୁ ସ୍ତରରେ ସ୍ୱାଗତ କରାଯାଇଛି। ଏହି ଦକ୍ଷତା ଯାଞ୍ଚରେ ଯେଉଁମାନେ ଶିକ୍ଷାଦାନ ବ୍ୟବସ୍ଥାରେ ଦୁର୍ବଳ ବୋଲି ଜଣାପଡ଼ିବ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ତେଣୁ ଖୁବ ଶୀଘ୍ର ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରୁ ୮ ହଜାର ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ମାଧ୍ୟମରେ ଦକ୍ଷ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି।
ଉଚ୍ଚଶିକ୍ଷା କ୍ଷେତ୍ରରେ କୌଣସି ସାଲିସ୍ କରାଯିବ ନାହିଁ। ଅଧ୍ୟାପକ ଓ ଅଧ୍ୟାପିକାଙ୍କ ନିମ୍ନମାନର ଶିକ୍ଷାଦାନ ବ୍ୟବସ୍ଥାକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ। ରାଜ୍ୟରେ ସବୁ ବର୍ଗର ଛାତ୍ରଛାତ୍ରୀ ଯେପରି ଠିକ୍ ଉଚ୍ଚଶିକ୍ଷା ପାଇବେ ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଡ. ସାହୁ ସୂଚନା ଦେଇଛନ୍ତି।
ଏଣିକି ଅଧ୍ୟାପକ, ଅଧ୍ୟାପିକାଙ୍କ ପଢ଼ାଇବା ଶୈଳୀ ଉପରେ ରହିବ ନଜର। ଏନେଇ ଆସନ୍ତା ଜାନୁଆରୀରୁ କଟକଣା କଡ଼ାକଡ଼ି ହେବ। ନିୟମ ଅନୁଯାୟୀ ଦୈନିକ କେଉଁ ଅଧ୍ୟାପକ/ଅଧ୍ୟାପିକା କେତେ ସମୟ କ୍ଲାସ ନେଉଛନ୍ତି ତା’ର ସଂପୂର୍ଣ୍ଣ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ। ଏହି ବ୍ୟବସ୍ଥା ଉଭୟ +୨ ଓ +୩ରେ ଲାଗୁ ହେବ। ତେବେ ଶିକ୍ଷାଦାନ ସମୟରେ ପଢ଼ାଇବା ଶୈଳୀ ଏବଂ ଦକ୍ଷତାକୁ ଅନୁଧ୍ୟାନ କରାଯିବ।
ଉଭୟ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ ଏହା ଲାଗୁ କରାଯିବ। ଛାତ୍ରଛାତ୍ରୀମାନେ ଯେପରି ଶ୍ରେଣୀରେ ପାଠପଢ଼ା ପ୍ରତି ଆକୃଷ୍ଟ ହେବେ ଏବଂ ଘରୋଇ ଟିଉସନ ମୋହରୁ ଦୂରେଇବେ ସେଥିଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯିବ। ଏହାବ୍ୟତୀତ କୌଣସି ଅଧ୍ୟାପକ, ଅଧ୍ୟାପିକା ଯଦି କୋଚିଂ ସେଣ୍ଟରରେ ପଢ଼ାନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ ମଧ୍ୟ ନିଷ୍ପତ୍ତି ହୋଇଛି।