ଘରକୁ ଘର ଯାଇ ନାମ ପଞ୍ଜିକରଣ କରାଉଛନ୍ତି ଶିକ୍ଷକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲକଡାଉନ ପରେ ବାହାର ରାଜ୍ୟରେ ଥିବା ଓଡ଼ିଆ ଘରକୁ ବାହୁଡ଼ିବେ। ସେମାନେ ଫେରିବା ପୂର୍ବରୁ ସରକାର କ୍ୱାରେଣ୍ଟାଇନରେ ରଖିବା ବ୍ୟବସ୍ଥାଠୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା, ଖାଦ୍ୟ ପାନୀୟ, ଔଷଧ ଆଦିର ବ୍ୟବସ୍ଥା କରୁଛନ୍ତି। ଗୋଟିଏ ପଂଚାୟତରୁ କେତେ ଲୋକ ବାହାର ରାଜ୍ୟରେ ଅଛନ୍ତି ସେମାନଙ୍କ ସମସ୍ତ ତଥ୍ୟ ପଂଚାୟତ ସ୍ତରରେ ସଂଗ୍ରହ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଲଖନପୁର ବ୍ଲକ ଭଅଁରଖୋଲ ପଂଚାୟତ ସାଗରପାଲି ଗ୍ରାମରେ ଶିକ୍ଷକ ଗୌରାଙ୍ଗ ପାଣ୍ଡେ ଏବଂ ବିନୋଦ କରାଲୀ ଘରେ ଘରେ ବୁଲି ସେମାନଙ୍କ ପରିବାରର କିଏ ବାହାରେ ଅଛନ୍ତି, କେବେ ଓଡ଼ିଶା ଫେରିବେ, କେଉଁଥିରେ ଫେରିବେ, କେଉଁସ୍ଥାନରେ ଓହ୍ଲାଇବେ ଆଦି ତଥ୍ୟ ସଂଗ୍ରହ କରୁଛନ୍ତି। ସେମାନଙ୍କ ଫୋନ ନମ୍ବର ସଂଗ୍ରହ କରି ରାଜ୍ୟକୁ ଫେରିଲେ ପଞ୍ଜିକରଣ କରାଇବା ସହ ୧୪ ଦିନ କ୍ୱାରେଣ୍ଟାଇନରେ ରହି କରୋନା ମୁକ୍ତ ଓଡ଼ିଶା କରିବାରେ ସହଯୋଗ କରିବା ପାଇଁ ପରାମର୍ଶ ଦେଉଛନ୍ତି। ସେହିପରି କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଘରେ ରହି ସାମଜିକ ଦୂରତା ଅବଲମ୍ବନ କରି ମାସ୍କ ପରିଧାନ କରିବା ପାଇଁ ସଚେତନ କରିଥିଲେ।