ନିମାପଡ଼ା, ଏନ୍ଏନ୍ଏସ : ପୁରୀ ଜିଲ୍ଲା ନିମାପଡ଼ା ବ୍ଳକ୍ ତେରୁଣ୍ଡିଆ ପଂଚାୟତ ଅନ୍ତର୍ଗତ ଧୀରପୁର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଉକ୍ତ ସ୍କୁଲର ମଧୁସୂଦନ କକ୍ଷରେ ବୁଧବାର ବିଦ୍ୟାଳୟ ଖୋଲିବା ପୂର୍ବରୁ ପଂଖାରେ ବିଦ୍ୟୁତ୍ କେବୁଲରେ ଟାଙ୍ଗି ହୋଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ହେଉଛନ୍ତି ତେରୁଣ୍ଡିଆ ପଂଚାୟତ ଜାଗେଶ୍ୱରପୁର ଗ୍ରାମର ସହକାରୀ ଶିକ୍ଷକ ଆର୍ତତ୍ରାଣ ସ୍ୱାଇଁ (୫୦)।
ବିଦ୍ୟାଳୟରେ ପ୍ରତ୍ୟେହ ସେ ଟ୍ୟୁସନ୍ କରୁଥିବାରୁ ବିଦ୍ୟାଳୟର ଏକ ଚାବି ତାଙ୍କ ପାଖରେ ରହୁଥିଲା। ପ୍ରତିଦିନ ଭଳି ସେ ସକାଳ ୭ଟାରେ ଟ୍ୟୁସନ୍ କରିବା ନିମନ୍ତେ ଘରୁ ବହାରି ଆସିଥିଲେ। ତେବେ ସକାଳ ୯.୩୦ ସମୟରେ ବିଦ୍ୟାଳୟର ଜଣେ ୭ମ ଶ୍ରେଣୀ ଛାତ୍ରୀ ପ୍ରଥମେ ବିଦ୍ୟାଳୟ ଭିତରକୁ ପଶି କବାଟ ମେଲା ଥିବା ମଧୁସୂଦନ କକ୍ଷରେ ଶିକ୍ଷକଙ୍କୁ ଫ୍ୟାନରେ ଟାଙ୍ଗି ହୋଇଥିବା ଅବସ୍ଥାରେ ଦେଖି ପାଟିକରି ଡ଼ାକିବାରୁ ପରବର୍ତୀ ସମୟରେ ସ୍ଥାନୀୟ ଲୋକେ ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଘଟଣା ସମ୍ବନ୍ଧରେ ଜାଣିବାକୁ ପାଇଥିଲେ।
ଏହି ଖବର ପାଇ ତାଙ୍କ ପରିବାର ଲୋକଙ୍କ ସମେତ ଆଖପାଖ ଗ୍ରାମର ହଜାର ହଜାର ଲୋକ ବିଦ୍ୟାଳୟ ପରିସରରେ ଜମା ହୋଇଥିଲେ। ନିମାପଡ଼ା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ପାରିପାଶ୍ୱିର୍କ ପରିସ୍ଥିତି ଯାଂଚ କରି ଶବ ଜବତ କରିଥିଲା। ଶିକ୍ଷକଙ୍କ ସାନଭାଇ ସୁଶାନ୍ତ କୁମାର ସ୍ୱାଇଁଙ୍କ ତରଫରୁ ଏହି ଘଟଣାରେ ନିମାପଡ଼ା ଥାନାରେ ଏକ ଅଭିଯୋଗ ପରେ ପୋଲିସ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ତେବେ ବିଦ୍ୟାଳୟର ଅନ୍ୟାନ୍ୟ ସହକର୍ମୀଙ୍କ ସହିତ ଶିକ୍ଷକଙ୍କର ମନୋମାଳିନ୍ୟ ନଥିବା ବୁଝିବାରେ ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ପରେ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି ଥାନାଧିକାରୀ ଜନାର୍ଦ୍ଦନ ପାଢ଼ୀ ସୂଚନା ଦେଇଛନ୍ତି।