ସଇଁନ୍ତଲା,ଏନ୍ଏନ୍ଏସ୍: ଭଗବାନଙ୍କ ଦ୍ଵାରା ସୃଷ୍ଟି ସମସ୍ତ ଜୀବ ଜଗତ ଓ ପ୍ରାଣୀ ଜଗତର ସର୍ବ ଶ୍ରେଷ୍ଠ କୃତି ହେଉଛି ମାନବ, ଯିଏ ନିଜକୁ ପ୍ରତିପାଳିତ କରିବା ସହ ଅନ୍ୟମାନଙ୍କ ସହାୟକ ପାଲଟିଥାଏ। ଏଭଳି ଖୁବ୍ କମ୍ ମନୁଷ୍ୟ ନିଜର ଜନ୍ମକୁ ସାର୍ଥକତା କରି ନିଜ ଛଡା ଅନ୍ୟର ଉନ୍ନତି ପ୍ରଗତିରେ ଧ୍ୟାନ ଦେଇଥାନ୍ତି। ସେହିଭଳି ଜଣେ ଗୃହିଣୀ, ସମାଜସେବୀକା ତଥା ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଞ୍ଜିତା ମିଶ୍ର। ଶିକ୍ଷକତା ସହ ସମାଜସେବାରେ ନିଜକୁ ଉତ୍ସର୍ଗ କରି ଅନ୍ୟମାନଙ୍କ ପଥ ପ୍ରଦର୍ଶକ ସାଜିଛନ୍ତି। ତାଙ୍କର ଗଛ ଲଗାଇବା ନିଶା ଆଜି ତାଙ୍କୁ ବଲାଙ୍ଗିରରେ ପରିଚିତ କରିଛି।
ଛାତ୍ରଛାତ୍ରୀ ମାନଙ୍କୁ ଭଲ ଶିକ୍ଷା ଦାନ ଦେବା ସହ ଗଛର ଯତ୍ନ ନେବା ବେଶ ତାଙ୍କର ବେଶ୍ ଆଗ୍ରହ। ସେଥିପାଇଁ ତ ସେ ଲୋକଙ୍କ ଅତି ପ୍ରିୟପାତ୍ର ପାଲଟିଛନ୍ତି। ସେ ଅନେକ ସ୍ଥାନରେ ହଜାର ହଜାର ଗଛ ଲଗାଇ ପୁରସ୍କୃତ ମଧ୍ୟ ହୋଇସାରିଛନ୍ତି। କରୋନା ମହାମାରୀ ସମୟରେ ଗରିବ ନିରୀହ ଲୋକଙ୍କୁ ଖାଦ୍ୟ ଯୋଗାଇ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି। ତାଙ୍କର ଏଭଳି କାର୍ଯ୍ୟକଳାପକୁ ନେଇ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସାର ସୁଅ ଛୁଟୁଛି।