କୁଜଙ୍ଗ,ଏନ୍ଏନ୍ଏସ୍: ସ୍କୁଲର ଜଣେ ଛାତ୍ରୀଙ୍କୁ ନିର୍ମମ ଭାବେ ମାଡ଼ମାରିବା ଶିକ୍ଷୟିତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଶ୍ରେଣୀର କକ୍ଷକୁ ବାଡ଼ି ନେଇ ଯିବା ସରକାରଙ୍କ ଘୋଷଣା ଅନୁଯାୟୀ ବେଆଇନ ହୋଇଥିବାବେଳେ ଆଜି ତୃତୀୟ ଶ୍ରେଣୀ ଛାତ୍ରୀଙ୍କ ମାଡ଼ ମାରିଥିବା ଅଭିଯୋଗରେ ଶିକ୍ଷୟିତ୍ରୀଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଅଦାଲତକୁ ପଠାଯାଇଥିବାବେଳେ ସେଠାରେ ତାଙ୍କର ଜାମିନ ଆଦେନ ଖାରଜ ହୋଇଯାଇଛି। ଫଳରେ ତାଙ୍କୁ ସ୍ଥାନୀୟ ଜେଲକୁ ପଠାଇ ଦିଆଯାଇଛି।
ପ୍ରକାଶଯେ, କୁଜଙ୍ଗ ଥାନା ବାଲିତୁଠ ସ୍ଥିତ ବାଲିତୁଠ ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀରେ ପଢୁଥିବା ଛାତ୍ରୀ ବର୍ଷା ସ୍ୱାଇଁଙ୍କୁ ପାଠ ପଢୁନଥିବା ଅଭିଯୋଗରେ ଶିକ୍ଷୟିତ୍ରୀ ଲୀନା ନନ୍ଦ ନିର୍ମମ ଭାବେ ମାଡ଼ ମାରି ଆହତ କରିଥିବାନେଇ ଛାତ୍ରୀଙ୍କ ବାପା ଜନ ସ୍ୱାଇଁ ଗତକାଲି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗପରେ ୨୯୧/୧୯ସଙ୍ଖ୍ୟାରେ ୩୪୧, ୩୦୭,୩୨୩ ଆଇପିସ ଧାରାରେ ମାମଲା ରୁଜୁ ହୋଇଥିଲା।
ମାମଲାର ତଦ୍ଦ”କାରୀ ଅଧିକାରୀ ପୁଲିସ ଏଏସ୍ଆଇ ଦେବରାଜ ପ୍ରଧାନ ଆଜି ପୂର୍ବାହ୍ନ ଏଗାରଟା ସମୟରେ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ମଧ୍ୟାହ୍ନରେ ଶିକ୍ଷୟତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରାଯିବାପରେ ତାଙ୍କୁ ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଥିଲା। ସେଠାରେ ତାଙ୍କର ଜାମିନୀ ଆବେଦନ ଖାରଜ ହୋଇ ଯିବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।