ଶିଶୁଦିବସରେ ସ୍କୁଲ ଆସିଲେନି ଶିକ୍ଷକ, ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ପାଟଣା,ଏନ୍‍ଏନ୍‍ଏସ୍‍: ସାରା ଦେଶରେ ଆଜି ଶିଶୁଦିବସ ପାଳନ କରାଯାଉଥିବା ବେଳେ ସ୍କୁଲମାନଙ୍କରେ ଏହି ଅବସରରେ ଅନେକ କାର୍ଯ୍ୟକ୍ରମ ହେଉଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‍ ଶ୍ୟାମସୁନ୍ଦରପୁର ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷକ ନଆସିବାରୁ ଗ୍ରାମବାସୀମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ପତିବାଦ କରିଛନ୍ତି।

ଆଜି ବିଦ୍ୟାଳୟରେ ଶିଶୁ ଦିବସ ପାଳନ ହେବାକୁ ଥିବାବେଳେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସକାଳୁ ବିଦ୍ୟାଳୟକୁ ଆସିବାକୁ କୁହାଯାଇଥିଲା। ଛାତ୍ରଛାତ୍ରୀ ମାନେ ସକାଳୁ ସ୍‍କୁଲକୁ ଆସିଥିଲେ ମଧ୍‍ୟ କୌଣସି ଶିକ୍ଷକ ବିଦ୍ୟାଳୟକୁ ଆସିନଥିଲେ। ବହୁ ବିଳମ୍‍ବ ପର୍ଯ୍ୟନ୍‍ତ ଶିକ୍ଷକମାନେ ନ ଆସିବାରୁ ଗ୍ରାମବାସୀ ବିଦ୍ୟାଳୟର ଫାଟକରେ ତାଲା ପକାଇଛନ୍ତି।

ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାଶରଥୀ ମହାନ୍ତ ଆସି ନଥିବା ବେଳେ ଖବର ପାଇ ସହକାରୀ ଶିକ୍ଷକ କୃପାସିନ୍ଧୁ ମହାନ୍ତ ବିଦ୍ୟାଳୟରେ ପହଞ୍ଚି ଥିଲେ। ତେବେ ଶିକ୍ଷକ ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟରେ ଶିକ୍ଷକ ଉପସ୍ଥିତ ରହି ଶିକ୍ଷାଦାନ କରାଇବାକୁ ଗ୍ରାମବାସୀ ଦାବିକରି ଜିଦରେ ଅଟଳ ରହିବା ସହିତ କାର୍ୟ୍ୟରେ ଅବହେଳା କରିଥିବା ଶିକ୍ଷକଙ୍କ ଵିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏ ସମ୍ପର୍କରେ ପାଟଣା ବିଇଓ ପୂର୍ଣ୍ଣଚନ୍ଦ୍ର ଅମାତଙ୍କୁ ପଚାରିବାରୁ ଘଟଣା ବିଷୟରେ ଅବଗତ ନଥିବା କହିଛନ୍ତି।