ଟିକା ନେଇ ଶିଶୁ ମୃତ୍ୟୁ : କ୍ଷତିପୂରଣ ଦାବିରେ ସ୍କୁଲ ଘେରାଉ

ରାଉରକେଲା, ଏନ୍ଏନ୍ଏସ୍: ସେକ୍ଟର-୬ ମହିମା ଆଶ୍ରମ ସ୍କୁଲର ୫ମ ଶ୍ରେଣୀରେ ପଢ଼ୁଥିବା ଶିଶୁ ସୁମନଜିତ ପ୍ରଧାନଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା। ଉକ୍ତ ଘଟଣାର ପ୍ରତିବାଦରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଶିଶୁର ପରିବାରବର୍ଗ ଓ ଲୋକେ ଉକ୍ତ ସ୍କୁଲକୁ ଘେରାଉ କରିବା ସହ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।

ଶନିବାର ଏହି ଘଟଣାକୁ ନେଇ ସେକ୍ଟର-୭ ଥାନା ପୁଲିସ ଓ ଡିଏସ୍ପି ଜୋନ୍-୧ ଜ୍ୟୋର୍ତିମୟ ଭୁକ୍ତା ପହଞ୍ôଚ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ସ୍କୁଲ କର୍ତ୍ତୃପକ୍ଷ ବିଜେଡି ନଗର ସଭାପତି ସୁଧୀର ସୁନ୍ଦର ରାୟଙ୍କ ସମେତ ଲୋକଙ୍କ ସହ ଆଲୋଚନା ହୋଇଥିଲା। ଏହି ଘଟଣା ପରେ ସିଡିଏମ ଓ ପଙ୍କଜ ପଟେଲଙ୍କ ନିର୍ଦ୍ଦେଶରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସ୍କୁଲରେ ଟିକାକରଣ ବନ୍ଦ କରାଯାଇଛି। ଉକ୍ତ ମୃତ୍ୟୁ ମାମଲାର ତଦନ୍ତ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ଜଣିଆ ଘଟଣାର ତଦନ୍ତ କରିବ ବୋଲି ଜଣାପଡ଼ିଛି। ଆଜି ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି।

ସୂଚନାନୁଯାୟୀ, ସେକ୍ଟର-୬ କଲ୍ୟାଣୀ ରାୟ କଲୋନୀରେ ସୁକାନ୍ତ ପ୍ରଧାନ ପତ୍ନୀ ମୋନିକା ପ୍ରଧାନ ପୁଅ ଓ ଝିଅ ସହ ରୁହନ୍ତି। ସୁମନଜିତ ଆଶ୍ରମ ସ୍କୁଲର ୫ମ ଶ୍ରେଣୀରେ ପଢ଼ୁଥିଲେ। ଗୁରୁବାର ଆଶ୍ରମ ସ୍କୁଲରେ ସ୍ଥାନୀୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଟିକାକରଣ କରାଯାଇଥିଲା। ଦିନ ତମାମ ସ୍ୱାସ୍ଥ୍ୟ ଠିକ ଥିବା ବେଳେ ସଂଧ୍ୟାରେ ତାଙ୍କର ମୁଣ୍ଡ ବୁଲାଇଥିଲା। ପରିବାର ଲୋକେ ତାଙ୍କୁ ଆଇଜିଏଚରେ ଭର୍ତ୍ତିି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ସ୍କୁଲରେ ଟିକାକରଣ ଯୋଗୁ ଏକମାତ୍ର ପୁଅର ମୃତ୍ୟୁ ଘଟିଛି ବୋଲି ପିତାମାତା ଅଭିଯୋଗ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଥିଲେ। ଶିଶୁଟିର ମୃତ୍ୟୁ ଖବର ପାଇ ସେଠାର ଉତ୍ତେଜନା ଦେଖାଯାଇଥିଲା। ସୂଚନାଯୋଗ୍ୟ ପ୍ରଥମେ ସ୍କୁଲମାନଙ୍କରେ ଟିଟାନସ ଟିକା ଦିଆଯାଉଥିବା ବେଳ ବର୍ତ୍ତମାନ ଟିଟାନସ ଓ ଡିପଥେରିଆ ଟିକା(ଟିଡି) ପ୍ରଦାନ କରାଯାଉଛି।