ବିମାନ ବନ୍ଦର ସମ୍ମୁଖରେ ୧୨ ଘଣ୍ଟିଆ ଧାରଣା ଦେବ ଟ୍ୟାକ୍ସି ଚାଳକସଙ୍ଘ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆସନ୍ତାକାଲି ସକାଳ ୯ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଝାରସୁଗୁଡା ଜିଲ୍ଲା ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦର ସମ୍ମୁଖରେ ଓଡିଶା ମୋଟର ଚାଳକ ସଙ୍ଘ ଝାରସୁଗୁଡା ଜିଲ୍ଲା କମିଟି ପକ୍ଷରୁ ୧୨ ଘଣ୍ଟିଆ ଧାରଣା ଦିଆଯିବ। ଏନେଇ ଓଡିଶା ମୋଟର ଚାଳକ ସଙ୍ଘ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ବିଳନୀରେ କୁହାଯାଇଛି ଯେ, ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଯାତ୍ରୀଙ୍କୁ ନେବା ଆଣିବା ପାଇଁ ଏୟାରପୋର୍ଟ ଅଥୋରିଟି ସ୍ଥାନୀୟ ଟ୍ୟାକ୍ସି ଚାଳକଙ୍କୁ ଗତ ୧୦ ତାରିଖରୁ ବାରଣ କରିଛି। ଏୟାରପୋର୍ଟ ଅଥୋରିଟିର ଏହି ନିଷ୍ପତି ଯୋଗୁଁ ଟ୍ୟାକ୍ସି ଚାଳକମାନେ ବେରୋଜଗାର ହୋଇଥିବାବେଳେ ଯାତ୍ରୀମାନେ ମଧ୍ୟ ଶୋଷଣର ଶିକାର ହେଉଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ, ଟ୍ୟାକ୍ସି ଚାଲକମାନଙ୍କ ଠାରୁ ଏୟାରପୋର୍ଟ ଫିସ୍ ବାବଦରେ ମାସିକ ୧୨ଶହ ଟଙ୍କା ସାବିତ୍ରୀ ଏଣ୍ଟରପ୍ରାଇଜେସ ଓ ଯାତ୍ରୀଙ୍କ ଭଡାର ଶତକଡା ୨୦ ଭାଗ ସାଣ୍ଡ୍ ପିପୁଲ ନାମକ ସଂସ୍ଥା ଆଦାୟ କରୁଛି।

ଚଳତମାସର ୧ ତାରିଖରେ ଦାଖଲ କରାଯାଇଥିବା ନଭେମ୍ବର ମାସର ପାର୍କିଂ ଫି’ର ସମୟସୀମା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରହିଛି। ହେଲେ ଗତ ୧୦ ତାରିଖରୁ ଏୟାରପୋର୍ଟ ଅଥୋରିଟି ଘରୋଇ ଟ୍ୟାକ୍ସି ଚାଳକମାନଙ୍କୁ ଯାତ୍ରୀ ନେବା ଆଣିବାରୁ ବଞ୍ଚିତ କରିଛନ୍ତି। ଫଳରେ ଟ୍ୟାକ୍ସି ଚାଳକମାନେ ସେମାନଙ୍କ ରୋଜଗାରର ପନ୍ଥା ହରାଇ ଅତି କଷ୍ଟରେ ଜୀବନଯାପନ କରୁଛନ୍ତି। ଏନେଇ ସଙ୍ଘ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏବଂ ବରଗଡ଼ ସାଂସଦ ସୁରେଶ ପୁଜାରିଙ୍କୁ ଜଣାଯାଇଛି। ଏହାସହ ବିମାନ ବନ୍ଦରରୁ ଯାତ୍ରୀଙ୍କ ପରିବହନ ପାଇଁ ସ୍ଥାନୀୟ ଟ୍ୟାକ୍ସି ମାଲିକ ସଙ୍ଘକୁ ପୁନଃ ଅନୁମତି ପ୍ରଦାନ କରାଯାଉ ବୋଲି ସଙ୍ଘ ପକ୍ଷରୁ ଦାବି କରାଯାଇଛି।