ଗଞ୍ଜାମ,ଏନ୍ଏନ୍ଏସ୍: ଗଞ୍ଜାମ ତପ୍ତପାଣି ଘାଟିରେ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଥିବା ବେଳେ ଏଥିରେ ୪୦ରୁ ଊର୍ଦ୍ଧ୍ୱ ଲୋକେ ଆହତ ହୋଇଛନ୍ତି। ଆହତମାନଙ୍କୁ ଦିଗପହଣ୍ଡି ଓ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରାଯାଇଛି। ଏଥିରେ ପ୍ରତ୍ୟେକଙ୍କୁ ୨ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବ । ଅନ୍ୟପଟେ ଘଟଣା ଉପରେ ନଜର ରଖିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯିବା ସହିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗ୍ୟାସ୍ କଟର ଲଗାଇ ଚାପି ହୋଇଥିବା ଆହତଙ୍କୁ ବାହାର କରାଯାଉଛି । ସେହିପରି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ଘଟଣାସ୍ଥଳରେ ୪ଟି ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମୋହନା, ସାନଖେମୁଣ୍ଡି, ଦିଗପହଣ୍ଡି ଓ ବ୍ରହ୍ମପୁରର ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ୭ଟି ଦମକଳ ଗାଡି ଉଦ୍ଧାର କାର୍ଯ୍ୟରେ ଲାଗିଥିଲା । କ୍ରେନ୍ ଓ କଟର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ କରାଯାଇଛି । ଦୁଇ ଜଣ ମୃତକଙ୍କ ପରିଚୟ ମିଳିଛି । ସେମାନେ ହେଲେ ଝୁନୁ ବେହେରା ଓ ବିଦ୍ୟୁତ ନାୟକ । ଜଣଙ୍କ ଘର ବରଗଡ ଓ ଅନ୍ୟଜଣଙ୍କ ଘର ରାୟଗଡାରେ ।
ଆହତମାନଙ୍କୁ ଦିଗପହଣ୍ଡି ଓ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଉଛି । ବ୍ରହ୍ମପୁର ଏମକେସିଜିରେ ୧୬ ଜଣ ଭର୍ତ୍ତି ହୋଇଛନ୍ତି । ମାରୁତି ନାମକ ବସଟି ରାୟଗଡାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଘାଟି ଉପରୁ ତଳକୁ ଖସିପଡିଥିଲା । ବସରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ଆହତଙ୍କ ମଧ୍ୟରେ ଅନେକ ଶିଶୁ ଓ ମହିଳା ଅଛନ୍ତି ।