ତାପସ ପାଲଙ୍କ ମୃତ୍ୟୁ ଘଟଣା : କେନ୍ଦ୍ର ସରକାରଙ୍କୁ ଦାୟୀକଲେ ମମତା

କୋଲକାତା,ଏଜେନ୍ସି: ପୁରୁଖା ବେଙ୍ଗଲୀ ଅଭିନେତା ତଥା ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତାପସ ପାଲଙ୍କ ମୃତ୍ୟୁ ପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ବୁଧବାର କହିଛନ୍ତି, ତାପସ ପାଲ ୧୩ ମାସ ଧରି ଜେଲ୍ରେ ଥିଲେ। ସେ ଏକ ମନୋରଞ୍ଜନ ଚାନେଲ୍ରେ କାମ କରୁଥିଲେ। ସେ କି ଅପରାଧ କରିଥିଲେ ତାହା କେହି ଜାଣିନଥିଲେ। ତାଙ୍କର ମରିବାର ବୟସ ହୋଇନଥିଲା। କେବଳ କେନ୍ଦ୍ର ସରକାରଙ୍କ ଚାପ ଯୋଗୁଁ ତାଙ୍କର ଅକାଳ ମୃତ୍ୟୁ ଘଟିଲା। ସେ ହୃଦ୍ଘାତରେ ପ୍ରାଣ ହରାଇଲେ। ସିବିଆଇ ଓ ବିଜେପିର ଖେଳ ଯୋଗୁଁ ୩ ଜଣଙ୍କ ଅକାଳ ବିୟୋଗ ଘଟିଥିଲା।

ସେମାନେ ହେଲେ ମନମୋହନ ସିଂହଙ୍କ ମନ୍ତ୍ରିମଣ୍ଡଳରେ ପର୍ଯ୍ୟଟନ ମନ୍ତ୍ରୀ ଥିବା ସୁଲତାନ ଅହମ୍ମଦ , ତୃଣମୂଳ କଂଗ୍ରେସ ସାଂସଦ ପ୍ରସୂନ ବାନାର୍ଜୀଙ୍କ ପତ୍ନୀ ଏବଂ ତାପସ ପାଲ। ୨୦୧୭ରେ ନାରଦା ଟେପ୍ ମାମଲାରେ ଅଭିଯୁକ୍ତ ହେବାରୁ ସୁଲତାନ ଅହମ୍ମଦଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଲା। ସେହିପରି ତାପସ ପାଲଙ୍କୁ ସିବିଆଇ ଉଦ୍ଦେଶ୍ୟମୂଳକ ଭାବେ ଅସୁବିଧାରେ ପକାଇଥିଲା। ରୋଜଭ୍ୟାଲି ଚିଟ୍ଫଣ୍ଡ ମାମଲାରେ ସିବିଆଇ ତାଙ୍କୁ ୨୦୧୬ ଡିସେମ୍ବରରେ ଗିରଫ କରିଥିଲା। କେବଳ ରାଜନୀତିରୁ ତାଙ୍କୁ ହଟାଇବା ପାଇଁ କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ସିବିଆଇ ଏଭଳି କରିଥିଲା। ୧୩ ମାସ ପରେ ସେ ଜାମିନରେ ଛାଡ଼ ପାଇଥିଲେ।

ତା’ପରଠାରୁ ସେ ରାଜନୀତିରୁ ଛାଡ଼ି ଦେଇଥିଲେ। ହୁଗଳି ଜିଲ୍ଲାର ଚନ୍ଦନନଗରରେ ଜନ୍ମଗ୍ରହଣ କରିଥିବା ତାପସ ପାଲ ବେଙ୍ଗଲୀ ଫିଲ୍ମ ଜଗତରେ ଜଣେ ରୋମାଣ୍ଟିକ୍ ହିରୋ ଭାବରେ ପୂର୍ବରୁ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ଏହାପରେ ରାଜନୀତିକୁ ଆସିଥିଲେ। ତାପସ ପାଲଙ୍କର ପତ୍ନୀ ଓ ଝିଅ ଅଛନ୍ତି। ସେ ମୁମ୍ବାଇରେ ଥିବା ତାଙ୍କ ଝିଅ ପାଖକୁ ଯାଇଥିଲେ। ସେଠାରୁ କୋଲକାତା ଫେରିବା ବେଳେ ଏୟାରପୋର୍ଟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଜୁହୁ ହସ୍ପିଟାଲରେ ତୁରନ୍ତ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।