ଝାରସୁଗୁଡ଼ାରେ ରେଳ ମଣ୍ଡଳ ପ୍ରତିଷ୍ଠା ପାଇଁ ରେଳମନ୍ତ୍ରୀଙ୍କୁ ଟଙ୍କଧରଙ୍କ ଦାବିପତ୍ର

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଏକ ନୂତନ ରେଳ ମଣ୍ଡଳ ପ୍ରତିଷ୍ଠା ସହ ବିଭିନ୍ନ ଦାବି ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ରାଜ୍ୟ ସମ୍ପଦକ ଟଙ୍କଧର ତ୍ରିପାଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ତ୍ରିପାଠୀ ଦିଲ୍ଲୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଟଙ୍କଧର କାହିଛନ୍ତି ଯେ, ଝାରସୁଗୁଡ଼ାରେ ଦୀର୍ଘ ୧୨୫ ବର୍ଷ ପୂର୍ବରୁ ରେଳ ଚଳାଚଳ ଆରମ୍ଭ ହୋଇଥିବାବେଳେ ଏଠାରେ ରେଳବାଇର ବହୁ ସମ୍ପତ୍ତି ଥିବାରୁ ବିକାଶର ଅନେକ ସମ୍ଭାବନା ରହିଛି। ଏଠାରେ ଏମସିଏଲ ଓ ବେଦାନ୍ତ ଭଳି ଅନେକ ଶିଳ୍ପ ଥିବାରୁ ରେଳବାଇର ରାଜସ୍ୱ ମଧ୍ୟ ଖୁବ ଅଧିକ ହୋଇଥାଏ। ହେଲେ ମଧ୍ୟ ଝାରସୁଗୁଡ଼ାର ୩ଟି ରେଳ ମଣ୍ଡଳରେ ବିଭାଜିତ ଥିବା ଓ ସମସ୍ତ ମଣ୍ଡଳର ଉପାନ୍ତ ଥିବାରୁ ସେହି ପରିମାଣର ବିକାଶ ସମ୍ଭବ ହୋଇପାରୁ ନଥିବାରୁ ଝାରସୁଗୁଡ଼ାକୁ ଏକ ସ୍ୱତନ୍ତ୍ର ରେଳ ଡିଭିଜନ ପ୍ରତିଷ୍ଠା କରିବା ପାଇଁ ସେ ଦାବି କରିଛନ୍ତି। ଝାରସୁଗୁଡ଼ା ରେଳ ଷ୍ଟେସନ ଉପରେ ଝାରସୁଗୁଡ଼ା ସହିତ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବ୍ଲକ ଓ ଦେବଗଡ଼ ଜିଲ୍ଲାବାସୀ ରେଳ ସେବା ପାଇଁ ନିର୍ଭର କରନ୍ତି ବୋଲି ଶ୍ରୀ ତ୍ରିପାଠୀ ଦାବି କହିଛନ୍ତି। ଏହାସହ ଚୌକିପଡ଼ା ଓ ବାଲିଯୋରିଠାରେ ଓଭରବ୍ରିଜ ନିର୍ମାଣ, ଝାରସୁଗୁଡ଼ା ଓ ବ୍ରଜରାଜନଗର ରେଳ ଷ୍ଟେସନର ଆଧୁନିକୀକରଣ ସହ ବିକାଶ, ଝାରସୁଗୁଡ଼ାରୁ ସୁନ୍ଦରଗଡ଼ ଦେଇ ଅମ୍ବିକାପୁର ପର୍ଯ୍ୟନ୍ତ ନୂତନ ରେଳଲାଇନର ସର୍ଭେ କାର୍ଯ୍ୟ ଶେଷ ହୋଇଥିବାରୁ ରେଳଲାଇନ ବିଛା କାର୍ଯ୍ୟ ତ୍ୱରାନ୍ୱିତ କରିବା ଓ ଏହା କାର୍ଯ୍ୟକାରୀ ହେଲେ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଛତିଶଗଡର ରାୟଗଡ଼ ଜିଲ୍ଲାବାସୀ ଉପକୃତ ହୋଇପାରିବେ ବୋଲି ଶ୍ରୀ ତ୍ରିପାଠୀ ଉଲ୍ଲେଖ କରିଛନ୍ତି।