ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଓଡ଼ିଶା ହେଲଥ ଏଜୁକେସନ ସ୍କୁଲ ଅଫ ନର୍ସିଙ୍ଗର ମାଲିକାନାକୁ ନେଇ ଦୀର୍ଘବର୍ଷ ହେଲା ଟଣାଉଟରା ଚାଲିଥିବାରୁ ଛାତ୍ରୀଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟ୍ରଷ୍ଟର ପୂର୍ବତନ ପରିଚାନଳା ନିର୍ଦ୍ଦେଶକ ସୁରେନ୍ଦ୍ର ଗୌଡ଼ ଓ ବର୍ତମାନର ନିର୍ଦ୍ଦେଶକ ବି.ଗିରିଙ୍କ ମଧ୍ୟରେ ସଂସ୍ଥାର ମାଲିକାନାକୁ ନେଇ ବିବାଦ ଲାଗିରହିଥିବା ବେଳେ ଅଧ୍ୟୟନରତ ଛାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହୋଇଛି। ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୌଡ଼ ପ୍ରାୟ ୫୦ ଜଣ ଛାତ୍ରୀଙ୍କ ମେଟ୍ରିକ ଓ ଯୁକ୍ତ ୨ର ସମସ୍ତ ପ୍ରମାଣପତ୍ର ନେଇ ଫେରାଇ ନ ଥିବା ଅଭିଯୋଗ ହୋଇଛି।
ଏଥିନେଇ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ୍ମିନୀ ମୁଦୁଲିଙ୍କ ନେତୃତ୍ୱରେ ଆଜି ପ୍ରାୟ ୨୦ ଜଣ ଛାତ୍ରୀ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଭେଟି ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୌଡ଼ ଓ ପରରଚାଳନା ଦାୟିତ୍ୱରେ ଥିବା ସତୀଶ କୁମାର ପ୍ରଧାନ ଛାତ୍ରୀଙ୍କ ପ୍ରମାଣପତ୍ର ନେଇ ଫେରାଇନଥିବା ଅଭିଯୋଗ କରିଛନ୍ତି। ଗତ ୨୦୧୭-୧୮ ଓ ୨୦୧୮-୧୯ ବ୍ୟାଚର ଛାତ୍ରୀମାନେ ପ୍ରବେଶ ବେଳେ ସମସ୍ତ ପ୍ରମାଣପତ୍ର ସେ ସମୟରେ ନେଇଥିଲେ। ତେବେ ଏ.ଏନ.ଏମ ପାଠ୍ୟକ୍ରମ ଶେଷ ହେବା ସତ୍ୱେ ମଧ୍ୟରେ ସେମାନଙ୍କର ପ୍ରମାଣପତ୍ର ଫେରାଯାଉ ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ପ୍ରମାଣପତ୍ର ଫେରାଯାଉନଥିବା ବିମଳା ଖିଲ, ଆଶାଲତା ହାଲଦାର, ସୁମିତ୍ରା ମାଡ଼ି, ମୀନା ହନ୍ତାଳ, ମେରିୟମ ହେମରମ, ସୁଭଦ୍ରା ପୂଜାରୀ, ପିଙ୍କି ମୁର୍ମୁ, କବିତା ଡୁରୁକା, ମାଧୂରୀ ନିଆଲଙ୍କ ସମେତ ବହୁ ଛାତ୍ରୀ ଅଭିଯୋଗ କରିଛନ୍ତି। ଏହାପରେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିବା ଛାତ୍ରୀମାନେ ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ ଯେ, ଟ୍ରଷ୍ଟର ପୂର୍ବତନ ଅଧ୍ୟକ୍ଷ ବେଆଇନ ଭାବେ ଶ୍ରୀ ଗୌଡ଼ଙ୍କୁ ଦାୟିତ୍ୱ ଦେଇଥିଲେ। ଏହା ଜାଣିବା ପରେ ବର୍ତମାନର ନିର୍ଦ୍ଦେଶକ ଶ୍ରୀ ଗିରି ଉପ ଜିଲ୍ଲାପାଳଙ୍କୁ ଏ ବିଷୟରେ ଜଣାଇବା ପରେ ଉପଜିଲ୍ଲାପାଳ ଟ୍ରଷ୍ଟର ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଶ୍ରୀ ଗୌଡ଼ ଦାୟତ୍ୱ ହସ୍ତାନ୍ତର ନ କରି ଓଡ଼ିଶାର ଉଚ୍ଚତମ ନ୍ୟାୟାଳୟରେ ରହିତାଦେଶ ପାଇଁ ଆଶ୍ରୟ ନେବା ପରେ କୋର୍ଟ ଶିକ୍ଷାନୁଷ୍ଟାନକୁ ରହିତାଦେଶ ଦେବାକୁ ମନା କରିଦେଇଥିଲେ । ପରେ ବର୍ତମାନର ନିର୍ଦ୍ଦେଶକ ଅନୁଷ୍ଟାନର ସମସ୍ତ କାଗଜପତ୍ର ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେବାକୁ ଏକ ପିଟିସନ ଦାଖଲ କରିବା ପରେ କୋର୍ଟ ୬ ସପ୍ତାହ ମଧ୍ୟରେ ଛାତ୍ରୀଙ୍କ ପ୍ରମାଣପତ୍ର ଫେରସ୍ତ କରିବାକୁ ମାଲକାନଗିରି ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପୋଲିସ ଶ୍ରୀ ଗିରିଙ୍କୁ ହସ୍ତାନ୍ତର ପାଇଁ କହିବାକୁ ସେ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ଓ ଅନ୍ୟାନ୍ୟ ସମସ୍ୟା ଥିବା ଆଳ ଦେଖାଇ ରହିଯାଇଥିଲେ।
ବର୍ତମାନ ସୁଦ୍ଧା ଶ୍ରୀ ଗୌଡ଼ କୌଣସି ପ୍ରମାଣପତ୍ର ହସ୍ତାନ୍ତର କରିନଥିବାରୁ ଛାତ୍ରୀମାନେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି। ଶ୍ରୀ ଗୌଡ଼ ଘରଭଡ଼ା ଆକାରରେ ପ୍ରାୟ ୪ ଲକ୍ଷ ୮୦ ହଜାର , ଛାତ୍ରୀଙ୍କ ଫି ବାବଦରେ ପ୍ରାୟ ୨ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ବେଖାତିର କରୁଥିବା ନିର୍ଦ୍ଦେଶକ ଶ୍ରୀ ଗିରି ପ୍ରକାଶ କରିଛନ୍ତି। ମାଲକାନଗିରି ଭଳି ଆଦିବାସୀ ଅଧ୍ୟଷ୍ୟୁତ ଜିଲ୍ଲାରେ ଶିକ୍ଷାନୁଷ୍ଟାନ ଓ ତାଲିମ ନାମରେ ବ୍ୟାପକ ଠକେଇ ହେଉଥିବା ବିଭିନ୍ନ ସମୟରେ ଦେଖାଯାଇଛି। ପୂର୍ବରୁ ଏକ ଘରୋଇ ଶିକ୍ଷାନୁଷ୍ଠାନ ପ୍ରମାଣପତ୍ର ନାମରେ ମୋଟାଅଙ୍କର ଟଙ୍କା ଆଦାୟ କରିଥିବା ଘଟଣା ପଦାକୁ ଆସିଥିବା ବେଳେ ଏହି ଟ୍ରଷ୍ଟର ବିବାଦ ବର୍ଷ ବର୍ଷ ଧରି ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ଶୀଘ୍ର ଏହାକୁ ସମାଧାନ କରିବା ପାଇଁ ଦୃଷ୍ଟି ଦେବାକୁ ଦାବୀ ହୋଇଛି।