ଇଣ୍ଡିଆ ଟୁରରୁ ଓହରିଲେ ତମିମ୍

ଢ଼ାକା,ଏଜେନ୍ସି: ବାଂଲା ଓପନର ତଥା ବରିଷ୍ଠ ଖେଳାଳି ତମିମ୍ ଇକବାଲ ବ୍ୟକ୍ତିଗତ କାରଣ ଯୋଗୁ ଭାରତ ଗସ୍ତରୁ ଓହରିଛନ୍ତି। ଆସନ୍ତା ତିନି ତାରିଖରୁ ଭାରତ ଓ ବାଂଲାଦେଶ ମଧ୍ୟରେ ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବାକୁ ରହିଛି। ଏଥିପାଇଁ ବାଂଲାଦେଶ ପକ୍ଷରୁ ଘୋଷିତ ୧୫ ଜଣିଆ ଦଳରେ ତମିମ୍ ଇକବାଲ ସାମିଲ ହୋଇଥିଲେ। କିନ୍ତୁ ତାଙ୍କ ପତ୍ନୀ ଦ୍ୱିତୀୟ ସନ୍ତାନ ଜନ୍ମ କରିବାର ସମୟ ପାଖେଇ ଆସିଥିବାରୁ ସେ ନିଜ ପତ୍ନୀଙ୍କ ପାଖରେ ରହିବା ପାଇଁ ଏହି ସିରିଜରୁ ଓହରିଛନ୍ତି। ତାଙ୍କ ସ୍ଥାନରେ ଏବେ ଇମ୍ରୁଏ କାଏସଙ୍କୁ ଦଳରେ ସାମିଲ କରାଯାଇଛି। ଇମ୍ରୁଲଙ୍କୁ କେବଳ ଟି-୨୦ ସିରିଜ ପାଇଁ ଦଳରେ ସ୍ଥାନ ମିଳିଛି। ଯଦି ତମିମ୍ ଟେଷ୍ଟ ସିରିଜ ବେଳକୁ ଦଳକୁ ନଫେରନ୍ତି, ତାହା ନେଇ ପରେ ପ୍ରତିବଦଳ ଖେଳାଳି ଚୟନ କରାଯିବ ବୋଲି ବାଂଲା କ୍ରିକେଟବୋର୍ଡ ପକ୍ଷରୁ କୁହାଯାଇଛି। ପୂର୍ବରୁ ତମିମ୍ ଭାରତ ବିପକ୍ଷ ସିରିଜ ଖେଳିବା ସହ କେବଳ କୋଲକାତାରେ ନଭେମ୍ବର ୨୨ ତାରିଖରୁ ଖେଳାଯିବାକୁ ଦ୍ୱିତୀୟ ଟେଷ୍ଟ ଖେଳିବେନି ବୋଲି ପ୍ରକାଶ କରିଥିଲେ। ସେ ଏହ÷ି ସମୟରେ ନିଜ ପତ୍ନୀଙ୍କ ସହ ରହିବେ ବୋଲି ବାଂଲାବୋର୍ଡକୁ ଜଣାଇଥିଲେ। କିନ୍ତୁ ତାଙ୍କ ପତ୍ନୀଙ୍କ ଯନ୍ତ୍ରଣା ଅଧିକ ହେଉଥିବାରୁ ତମିମ୍ ଏବେ ଦ୍ୱିତୀୟ ସନ୍ତାନ ପାଇଁ ତାଙ୍କ ସହ ରହିବେ ବୋଲି କହିଛନ୍ତି। ଜଣେ ବିସ୍ଫୋରକ ଓପନର ଭାବେ ପରିଚିତ ତମିମ୍ ଏହି ଗସ୍ତରୁ ଓହରିବା ଦ୍ୱାରା ବାଂଲାଦେଶର ସମସ୍ୟା ଅଧିକ ହୋଇଛି। ପୂର୍ବରୁ ପିଠିରେ ଯନ୍ତ୍ରଣା ଯୋଗୁଁ ଅଲରାଉଣ୍ଡର ମହମ୍ମଦ ସୈଫୁଦ୍ଦିନ ଦଳରୁ ବାଦ୍ ପଡ଼ିଥିଲେ।