ତାମିଲନାଡୁରେ ବର୍ଷା: ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି, ପୁଣି ରେଡ ଆଲର୍ଟ ଜାରି

ଚେନ୍ନାଇ,ଏଜେନ୍ସି: ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କେକେଏସଆର ରାମଚନ୍ଦ୍ରନ ସୂଚନା ଦେଇଛନ୍ତି। ଏଥିସହ ଏବେ ବି ଉଦ୍ଧାରକାରୀ ଟିମ୍ ବିଭିନ୍ନ ସ୍ଥାନରେ ମୁତୟନ ଥିବା କହିଛନ୍ତି। ଅନ୍ୟପଟେ ବର୍ଷା ମଧ୍ୟ ଥମିବାର ନାଁ ଧରୁନି। ପୁଣି ଆସନ୍ତା ୩ ଘଣ୍ଟା ମଧ୍ୟରେ ତାମିଲନାଡୁର କିଛି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ଚେନ୍ନାଇ,ତିରୁଭାଲୁର, କାଲାକୁରିଚି, ସାଲେମ, ଭେଲୋର, ତିରୁପତି, ରାନିପେଟ, ଥିରୁବନ୍ନାମଲାଇ ଏବଂ ପୁଡୁଚେରୀ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ଏହାସହ ଆଜି(ଗୁରୁବାର) କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେପଟେ ଆଜି ସନ୍ଧ୍ୟା ସୁଦ୍ଧା ପୁଡୁଚେରୀର ଉତ୍ତରରେ ଥିବା କରାଇକାଲ ଏବଂ ଶ୍ରୀହାରିକୋଟା ମଧ୍ୟରେ ଉତ୍ତର ତାମିଲନାଡୁ ଏବଂ ଏହାର ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଲଘୁଚାପ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଗତକାଲି ଦିନ ତମାମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ ତାମିଲନାଡୁର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଚେନ୍ନାଇ ଏବଂ ନିକଟସ୍ଥ ଚେଙ୍ଗେଲପେଟ୍, ତିରୁଭାଲୁର, କାଞ୍ଚିପୁରମ୍ ଏବଂ ଭିଲୁପୁରମ୍ ସମେତ ତାମିଲନାଡୁର ଉତ୍ତର ଜିଲ୍ଲାଗୁଡିକରେ ଅଧିକ ପ୍ରଭାବ ପକାଇଥିଲା।