ନୂଆଦିଲ୍ଲୀ,ଏଜେନ୍ସି: ଦୁର୍ଗମ ଅଞ୍ଚଳ ପଂଜଶୀରକୁ ଜବରଦଖଲ ଦାବି କରୁଥିବା ତାଲିବାନ ସରକାର ଆଫଗାନିସ୍ତାନରେ ସରକାର ଗଢ଼ିବାକୁ ଜୋରଦାର ପ୍ରସ୍ତୁତି ଚଳାଇଛି। ଚୀନ, ପାକିସ୍ତାନ ଓ ଇରାନ ସମେତ ୬ଟି ଦେଶକୁ ସରକାର ଗଢ଼ିବା ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ ମଧ୍ୟ ପଠାଇଛି। ମାତ୍ର ପଂଜଶୀରର ‘ସିଂହ’ କୁହାଯାଉଥିବା ମହମ୍ମଦ ମସୁଦ ତାଲିବାନର ଦାବିକୁ ଖଣ୍ଡନ କରିଛନ୍ତି। ମସୁଦ କହିଛନ୍ତି ଯେ, ନିଜର ବୀରମାନେ ପଂଜଶୀରର କୋଣ ଅଣୁକୋଣରେ ଉପସ୍ଥିତ ଅଛନ୍ତି।
ଏହାରି ମଧ୍ୟରେ ତାଲିବାନ ଚୀନ-ପାକିସ୍ତାନ ଇକୋନୋମୀ କରିଡର (ସିପିଇସି)ରେ ଆଫଗାନିସ୍ତାନକୁ ସାମିଲ କରିବାକୁ ଆଗ୍ରହ ପ୍ରକାଶ କରିଛି। ୬୦ ବିଲିୟନ ଡଲାରର ଏହି ପ୍ରକଳ୍ପରେ ଚୀନ ଓ ପାକିସ୍ତାନ ସହିତ ଏବେ ଆଫଗାନିସ୍ତାନ ସାମିଲ ହେବା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ। କାରଣ ପୂର୍ବରୁ ଆଫଗାନିସ୍ତାନରେ ଭାରତର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପ ନିର୍ମାଣ କାମ ଚାଲିଛି।