ପତ୍ନୀଙ୍କର ଅସଜଡ଼ା ଦାନ୍ତ ପାଇଁ ତଲାକ ଦେଲା ସ୍ୱାମୀ !

ହାଇଦ୍ରାବାଦ : ତିନି ତଲାକକୁ ନେଇ ତେଲେଙ୍ଗାନାରେ ଆସିଛି ଏକ ଅଭିଯୋଗ । ସ୍ତ୍ରୀକୁ ତିନ୍ ତଲାକ୍ ଜରିଆରେ ସ୍ୱାମୀ ଛାଡ଼ି ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ହାଇଦ୍ରାବାଦ୍ ଥାନାରେ ମହିଳା ଜଣକ ନିଜ ସ୍ୱାମୀ ମୁସ୍ତାଫାଙ୍କ ବିରୋଧରେ ଥାନାରେ ଏତଲା କରିଛନ୍ତି । ମହିଳାଙ୍କ ଦାନ୍ତ ଅସଜଡ଼ା ଥିବା କହି ମୁସ୍ତାଫା ତାଙ୍କୁ ତିନି ତଲାକ୍ ଦେଇଥିବା ଅଭିଯୋଗ ହୋଇଛି । ଏହା ସହିତ ଅଧିକ ଯୌତୁକ ଦାବିରେ ମହିଳାଙ୍କୁ ନାନାପ୍ରକାର ନିର୍ୟାତନା ଦିଆଯାଉଥିବାର ଅଭିଯୋଗ ମଧ୍ୟ ହୋଇଛି ।

ମହିଳା ନିଜ ବାପ ଘର ଯାଇଥିବା ବେଳେ ମୁସ୍ତାଫା ତାଙ୍କୁ ଫୋନ୍ କରି ଆଉ ନ ଆସିବାକୁ କହିଥିଲେ । ଏହା ସହ ସେ ତାଙ୍କୁ ଛାଡ଼ପତ୍ର ଦେବେ ବୋଲି କହିଥିଲେ । ଗତ ଅକ୍ଟୋବର ୧୨ ତାରିଖରେ ନିଜ ସ୍ୱାମୀ ମୁସ୍ତାଫାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବାବେଳେ, ଫୋନ୍ ଜରିଆରେ ସେ ତିନିଥର ତଲାକ କହିଥିବା ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଗତ ଅକ୍ଟୋବର ୩୧ ତାରିଖରେ ମୁସ୍ତାଫା ବିରୋଧରେ ମାମଲା ରୁଜୁ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।