ସରକାରୀ ସ୍କୁଲକୁ ‘ପୋଷ୍ୟ ସ୍କୁଲ’ ଭାବରେ ଗ୍ରହଣ କରନ୍ତୁ

କେନ୍ଦ୍ର ମନ୍ତ୍ରୀ, ହାଇକୋର୍ଟର ବିଚାରପତି, ସାଂସଦ ଓ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର,ଏନ୍ଏନ୍ଏସ୍: ସରକାରୀ ସ୍କୁଲକୁ ‘ପୋଷ୍ୟ ସ୍କୁଲ’ ଭାବରେ ଗ୍ରହଣ କରନ୍ତୁ। ଚାହିଁଲେ ଆପଣ ସର୍ବାଧିକ ୩ ସ୍କୁଲକୁ ପୋଷ୍ୟ କରିପାରିବେ। ଏହାଦ୍ୱାରା ସ୍କୁଲ ସହିତ ଥିବା ଆମ ସମସ୍ତଙ୍କର ଭାବଗତ ବନ୍ଧନ ଅତୁଟ ରହିପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ହାଇକୋର୍ଟର ବିଚାରପତି, ରାଜ୍ୟର ସମସ୍ତ ମନ୍ତ୍ରୀ, ସମସ୍ତ ସାଂସଦ ଓ ବିଧାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍କୁଲରେ ହିଁ ଆମ ବ୍ୟକ୍ତିତ୍ୱର ମୂଳଦୁଆ ପଡ଼ିଥାଏ। ଶିଶୁକୁ ସ୍କୁଲ ହିଁ ସମାଜ ସହ ଯୋଡ଼ିଥାଏ। ଆମ ସାମାଜିକ ଜୀବନର ଅୟମାରମ୍ଭ ହୋଇଥାଏ ବିଦ୍ୟାଳୟରୁ। ଶିକ୍ଷା ହିଁ ସଭ୍ୟତା ଓ ସଂସ୍କାରକୁ ଆଗକୁ ନେଇଥାଏ ଏବଂ ରୂପାନ୍ତରର ଭିତ୍ତି ପକାଇଥାଏ। ଘର ପରେ ବିଦ୍ୟାଳୟ ସହିତ ଆମ ସମସ୍ତଙ୍କର ଭାବଗତ ବନ୍ଧନ ସବୁଠାରୁ ଅଧିକ। ତେଣୁ ଆମ ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣି ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଏକ ଆଦର୍ଶ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ‘ମୋ ସ୍କୁଲ କାର୍ଯ୍ୟକ୍ରମ’ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ଚାହିଁଲେ ସେ ପଢୁଥିବା ସ୍କୁଲର ବିକାଶରେ ଭାଗୀଦାରି ହୋଇପାରିବ। ତାହା ଭିତ୍ତିଭୂମି ବିକାଶ ହେଉ ବା ଶିକ୍ଷାଦାନ। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ଓଡ଼ିଆ ସାମିଲ ହୋଇ ସେମାନେ ପଢିଥିବା ବିଦ୍ୟାଳୟର କାୟାକଳ୍ପରେ ସାମିଲ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ କହିଛନ୍ତି, ଆପଣମାନେ ନିଜ ନିଜର ଦକ୍ଷତା ଓ ପ୍ରତିଭା ଦ୍ୱାରା ସମାଜରେ ପ୍ରତିଷ୍ଠା ଲାଭ କରିଛନ୍ତି। ଏଥିରେ ଆପଣ ପାଠ ପଢିଥିବା ବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ବିଦ୍ୟାଳୟ ଆମକୁ ବହୁତ କିଛି ଦେଇଛି, ଆମକୁ ଗଢିଛି । ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଆମ ଭିତରେ ସାମର୍ଥ୍ୟ ସୃଷ୍ଟି କରିଛି। ତା’ର ପ୍ରତିଦାନ ଦେବା ପାଇଁ ଆଜି ସମୟ ଆସିଛି। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଛି। ସମାଜ ପ୍ରତି ଉତ୍ତରଦାୟିତ୍ୱକୁ ଠିକ୍ ଭାବରେ ନିର୍ବାହ କରିବା ପାଇଁ ମାର୍ଗ ଦେଖାଇଛି। ରାଜ୍ୟ ସରକାରଙ୍କର ‘ମୋ ସ୍କୁଲ କାର୍ଯ୍ୟକ୍ରମ’ ଆପଣଙ୍କର ପ୍ରିୟ ବିଦ୍ୟାଳୟ ପାଇଁ କିଛି କରିବା ପାଇଁ ସୁଯୋଗ ସୃଷ୍ଟି କରିଛି। ଉଦାର ହୃଦୟରେ ଆପଣ ଆପଣଙ୍କ ପ୍ରିୟ ବିଦ୍ୟାଳୟର ରୂପାନ୍ତର ପାଇଁ ସୁଯୋଗ ସୃଷ୍ଟି କରିପାରିବେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସମାଜର ନେତୃବର୍ଗଙ୍କର ଏହି ସାଧୁ ଉଦ୍ୟମ ଅତ୍ୟନ୍ତ ପ୍ରଭାବଶାଳୀ ହେବା ସହିତ ଆପଣମାନଙ୍କ ପାଇଁ ଏକ ଅନନ୍ୟ ପରିଚୟ। ତାହା ଅନ୍ୟମାନଙ୍କ ପାଇଁ ଏକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିବ। ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟର ଶୈକ୍ଷିକ ପରିବେଶରେ ଆରମ୍ଭ ହୋଇଥିବା ରୂପାନ୍ତରରେ ସାମିଲ ହେବା ପାଇଁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି।