୩୫ ବର୍ଷର ଜଳ କର ଛାଡ ପାଇଁ ପ୍ରତିଶ୍ରୁତି ଦେଲେ ତହସିଲଦାର

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ୍ ମଳେହିପଡା ପଞ୍ଚାୟତ ଅନ୍ତର୍ଗତ କାଦୋପଡା ଓ ହରିହରପୁର ଗ୍ରାମକୁ ଗୋହିରାଜଳ ପକଳ୍ପ କେନାଲରୁ ଆଜକୁ ୩୫ ବର୍ଷ ହେବ ଚାଷ ଜମିରେ ପାଣି ମାଡୁଥିବା ସ୍ଥଳେ ଚଳିତ ବର୍ଷ ରିଆମାଳ ତହସିଲ ୩୫ ବର୍ଷର ଜଳ କର ଆଦାୟ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନ ନିକଟତର ଗୁହାରି ପରେ ମଧ୍ୟ ପ୍ରଶାସନ ନୀରବ ରହିବାର ଆଜି ଦୁଇ ଗ୍ରାମର ଚାଷୀ ମାନେ ରିଆମାଳ ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ଅନଶନ ଆରମ୍ଭ କରିଥିଲେ।

ସୂଚନା ଅନୁସାରେ ଚଳିତ ବର୍ଷ ଏପ୍ରିଲ ମାସ ୧୩ ଓ ନଭେମ୍ବର ମାସ ୧ ତାରିଖ ଦିନ ଚାଷୀମାନେ ଏ ସମ୍ପର୍କରେ ଦେବଗଡ ଜିଲ୍ଲା ପ୍ରଶାସନଙ୍କୁ ଭେଟି ଲିଖିତ ଭାବରେ ଜଳ କର ଛାଡ ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ପ୍ରଶାସନ ଏଥିପ୍ରତି ନୀରବ ଦ୍ରଷ୍ଟା ସାଜିବାରୁ ଆଜି ବାଧ୍ୟ ହୋଇ ଚାଷୀମାନେ ଆନ୍ଦୋଳନକୁ ଆପଣାଇ ଥିଲେ। ପ୍ରଥମ ପର୍ଯ୍ୟାୟରେ ତହସିଲଦାର ବିମଳା ବିରୁଲି, ଅତିରିକ୍ତ ତହସିଲଦାର ମନୋରଞ୍ଜନ ବଘାର ଓ ଗୋହିରା ଜଳ ପ୍ରକଳ୍ପର ଏସଡିଓ ଦୁର୍ଯ୍ୟୋଧନ ସାହୁ ଘଟଣା ସ୍ଥଳକୁ ଆସି ବୁଝାଇବାରେ ବିଫଳ ହୋଇଥିଲେ। କିଛି ସମୟ ପରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଘଟଣାସ୍ଥଳକୁ ପହଞ୍ଚି ଚାଷୀ ମାନଙ୍କ ସମର୍ଥନରେ ଅନଶନରେ ବସିଥିଲେ। ଏହା ପରେ ଘଟଣାସ୍ଥଳରେ ତହସିଲଦାର ପହଞ୍ଚି ୩୫ ବର୍ଷର ଜଳ କରକୁ ଛାଡ କରିବୁ ବୋଲି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇଥିଲେ। ପରେ, ଗ୍ରାମବାସୀ ମାନେ କାର୍ଯ୍ୟାଳୟର ତାଲା ଖୋଲିବା ସହିତ ମାନ୍ୟବର ବିଧାୟକଙ୍କୁ ଧନ୍ୟବାଦ ଦେଇଥିଲେ।