ସାଉଥ୍ ଆଫ୍ରିକା ଠାରୁ ଭାରତ ପରାସ୍ତ, ଟି-୨୦ ସିରିଜ୍ ବରାବର

ବେଙ୍ଗାଲୁରୁ: ବୋଲରଙ୍କ ସାମଗ୍ରୀକ ସଫଳତା ଏବଂ ଅଧିନାୟକ କ୍ୱିଣ୍ଟନ ଡି କକ୍ ଙ୍କ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଶେଷ ଟି-୨୦ରେ ସାଉଥ୍ ଆଫ୍ରିକା ୯ ୱିକେଟରେ ଭାରତକୁ ପରାସ୍ତ କରିଛି। ଏହା ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ୧-୧ ବରାବର ସ୍ଥିତିରେ ଶେଷ ହୋଇଛି।

ଏହି ସିରିଜ୍ର ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ମୋହାଲିରେ ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାକୁ ଭାରତ ୭ ୱିକେଟରେ ଜିତିଥିଲା। ଏହି ସିରିଜ୍ ପରେ ଦୁଇ ଦେଶ ମଧ୍ୟରେ ଅକ୍ଟୋବର ୨ରୁ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ବିଶାଖାପାଟଣାରୁ ଆରମ୍ଭ ହେବ। ବେଙ୍ଗାଲୁରୁରେ ଘାତକ ବୋଲିଂ କରି ୪ ଓଭରରେ ମାତ୍ର ୧୪ ରନ୍ ଦେଇ ୨ଟି ୱିକେଟ ନେଇଥିବା ବିଜୟୀ ସାଉଥ୍ ଆଫ୍ରିକାର ଫାଷ୍ଟ ବୋଲର ବ୍ୟୁରାନ୍ ହେଣ୍ଡ୍ରିକ୍ସଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି।

ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍ ଜିତିବାକୁ ଘରୋଇ ଭାରତ ଭ୍ରମଣକାରୀ ସାଉଥ୍ ଆଫ୍ରିକା ଆଗରେ ୧୩୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ଲକ୍ଷ୍ୟକୁ ପିଛା କରି ଭ୍ରମଣକାରୀ ଦଳ ୧୬.୫ ଓଭରରେ ମାତ୍ର ଗୋଟିଏ ୱିକେଟ ହରାଇ ବିଜୟ ଲାଗି ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା।

ଦଳ ପକ୍ଷରୁ ଦୁଇ ଓପନର ରୀଜା ହେଣ୍ଡ୍ରିକ୍ସ ଓ ଡି କକ୍ ପ୍ରଥମ ୱିକେଟରେ ୭୬ ରନ୍ ଉଠାଇଥିଲେ। ରୀଜା ୨୬ ବଲରେ ୨୮ ରନ୍ କରି ଆଉଟ ହେବା ପରେ ଡି କକ୍ ଓ ଟେମ୍ବା ବଭୂମା ଅବିଭକ୍ତ ଦ୍ୱିତୀୟ ୱିକେଟ ପାର୍ଟନରଶିପ୍ ରୁ ୬୪ ରନ୍ ଉଠାଇ ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ।

ପୂର୍ବରୁ ଟସ୍ ଜିତି ଆଶ୍ଚର୍ଯ୍ୟଜନକ ଭାବେ ବ୍ୟାଟିଂ ନେବା ପରେ ଭାରତର ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ୍ ପାଭିଲିୟନ ଫେରିଯାଇଥିଲେ। ଦଳ ପକ୍ଷରୁ କେବଳ ଶିଖର ଧୱନ ୩୬, ଋଷଭ ପନ୍ତ୍ ଓ ରବୀନ୍ଦ୍ର ଜାଡେଜା ୧୯ ରନ୍ ଲେଖାଏଁ କରିଥିଲେ। ଭାରତର ଟପ୍ ୩ଜଣ ବ୍ୟାଟ୍ସମ୍ୟାନ୍ ଫେଲ୍ ମାରିବା ଫଳରେ ବଡ ସ୍କୋର କରିପାରି ନଥିଲା। ସାଉଥ୍ ଆଫ୍ରିକା ପକ୍ଷରୁ କାଗିସୋ ରବାଡା ସର୍ବାଧିକ ୩ଟି, ଜର୍ଣ୍ଣ ଫର୍ଚୁଇନ୍ ଓ ବ୍ୟୁରାନ୍ ହେଣ୍ଡ୍ରିକ୍ସ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।