ଆଜି ଦ୍ୱିତୀୟ ଟି-୨୦: ଭାରତ ପାଇଁ କର ବା ମର

ରାଜକୋଟ: ଘରୋଇ ଭାରତ ଓ ଭ୍ରମଣକାରୀ ବାଂଲାଦେଶ ମଧ୍ୟରେ ଗୁୁରୁବାର ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ୍ ଷ୍ଟାଡ଼ିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ପୂର୍ବରୁ ପ୍ରଥମ ମ୍ୟାଚ୍ ବାଂଲାଦେଶ ଜିତିଥିବାରୁ ଏହି ମ୍ୟାଚ୍ ଜିତିଲେ ସିରିଜ ଜିତିବ। ଯାହାକି ବାଂଲାଦେଶର ଐତିହାସିକ ସିରିଜ ହେବ।

ସେହିପରି ଭାରତ ଯଦି ମ୍ୟାଚ୍ ବିଜୟୀ ହୁଏ ତେବେ ସିରିଜ ୧-୧ରେ ବରାବର ରହିବ। ଫଳରେ ଅନ୍ତିମ ତଥା ତୃତୀୟ ଟି-୨୦ ମ୍ୟାଚ୍ ନିର୍ଣ୍ଣାୟକ ମ୍ୟାଚ୍ ହେବ। ବର୍ତ୍ତମାନ ସୁଦ୍ଧା ନିଜ ଅଧିନାୟକତ୍ୱରେ ଗୋଟିଏ ବି ସିରିଜ ହାରିନଥିବା ଟିମ୍ ଇଣ୍ଡିଆର ରୋହିତ ଶର୍ମା ଏହି ମ୍ୟାଚକୁ ଯେକୌଣସି ପରିସ୍ଥିତିରେ ଜିତିବାକୁ ଚାହିଁବେ। ଅନ୍ୟପକ୍ଷରେ ମହମ୍ମଦୁଲ୍ଲାଙ୍କ ନେତୃତ୍ୱରେ ବାଂଲାଦେଶ ଭାରତ ବିପକ୍ଷରେ ୮ଟି ମ୍ୟାଚ୍ ପରେ ପ୍ରଥମ ଟି-୨୦ ମ୍ୟାଚ୍ ଜିତି ରେକର୍ଡ ହାସଲ କରିଛନ୍ତି। ସେ ଏହି ବିଜୟଧାରା ଜାରି ରଖିବାକୁ ଚାହିଁବେ।

ଉଭୟ ଦଳର ପ୍ରଥମ ମ୍ୟାଚ ପ୍ରଦର୍ଶନକୁ ଲକ୍ଷ୍ୟ କଲେ ଭାରତ ଦୁର୍ବଳ ବୋଲିଂ ଓ ଫିଲ୍ଡିଂ ଯୋଗୁଁ ମ୍ୟାଚ୍ ହାରିଥିଲା। ଆରମ୍ଭରୁ ଏହି ମ୍ୟାଚ୍ ବୋଲରଙ୍କୁ ପରେ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ ବୋଲି କୁହାଯାଇଥିଲା। ଯାହାଦ୍ୱାରା ମହମ୍ମଦୁଲ୍ଲା ଟସ୍ ଜିତି ବୋଲିଂ ନେଇଥିଲେ। ଭାରତ ୧୪୮ ରନ୍ କରିଥିବା ବେଳେ ବାଂଲାଦେଶ ଅନ୍ତିମ ଓଭରରେ ବିଜୟୀ ହୋଇଥିଲା।