କୂଟନୈତିକ ଆଲୋଚନା ସିରିଆ ସଙ୍କଟର ସମାଧାନ କରିପାରିବ : ଇରାନ

ଅଙ୍କାରା,ଏଜେନ୍ସି: ଯୁଦ୍ଧରେ ନୁହେଁ, ଏକମାତ୍ର କୂଟନୈତିକ ସ୍ତରୀୟ ଆଲୋଚନା ସିରିଆ ସମସ୍ୟାର ସମାଧାନ କରିପାରିବ ବୋଲି ଇରାନ ରାଷ୍ଟ୍ରପତି ହସନ ରୌହାନୀ କହିଛନ୍ତି। ସିରିଆର ଉତ୍ତର-ପଶ୍ଚିମାଞ୍ଚଳରେ ଅବସ୍ଥିତ ଅଙ୍କାରାରେ ତୁର୍କୀ, ଇରାନ ଓ ରୁଷିଆ ନେତୃଗଣ ମିଳିତ ବୈଠକରେ ଏକତ୍ରିତ ହେବାର ଅଛି। ସିରିଆ ସେନାର ପ୍ରବଳ ଆକ୍ରମଣରେ ଅତିଷ୍ଠ ହୋଇ ଅଙ୍କାରାବାସିନ୍ଦା ପ୍ରାଣବିକଳରେ ତୁର୍କୀ ଆଡ଼କୁ ପଳାୟନ କରୁଛନ୍ତି। ସିରିଆ ଅନୁପ୍ରବେଶକାରୀଙ୍କ ଯୋଗୁଁ ତୁର୍କୀରେ ଚିନ୍ତାଜନକ ସ୍ଥିତି ଉପୁଜିଛି। ଦୀର୍ଘ ୮ ବର୍ଷ ଧରି ସିରିଆରେ ଚାଲିଥିବା ଗୃହଯୁଦ୍ଧର ଅବସାନ ଘଟାଇବା ପାଇଁ ତୁର୍କୀ, ରୁଷିଆ ଓ ଇରାନ ପକ୍ଷରୁ ମିଳିତ ଆଲୋଚନାର ଡାକରା ଦିଆଯାଇଛି। ସିରିଆ ରାଷ୍ଟ୍ରପତି ବସହର ଅଲ-ଆସାଦଙ୍କୁ କ୍ଷମତାଚ୍ୟୁତ କରିବା ଉଦ୍ଦେଶ୍ୟରେ ଗୃହଯୁଦ୍ଧର ସୂତ୍ରପାତ ହୋଇଥିଲା। ସିରିଆ ବିଦ୍ରୋହୀଙ୍କୁ ଦମନ କରିବା ପାଇଁ ରାଷ୍ଟ୍ରପତି ବସର ଅଲ-ଆସାଦଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମୀର ପୁତିନ ଓ ଇରାନ ରାଷ୍ଟ୍ରପତି ହାସନ ରୌହାନୀ ସାହାଯ୍ୟ କରୁଛନ୍ତି। ଅନ୍ୟପକ୍ଷରେ ସିରିଆ ବିଦ୍ରୋହୀଙ୍କୁ ତୁର୍କୀ ଶାସକ ତାୟିପ ଏର୍ଡୋଗାନଙ୍କ ସମେତ ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପୀୟ ଓ ଆରବ ରାଷ୍ଟ୍ରଗୁଡ଼ିକ ସମର୍ଥନ କରୁଛନ୍ତି। ପରିସ୍ଥିତି କ୍ରମେ ଜଟିଳ ଆଡ଼କୁ ଯାଉଥିବାର ଦେଖି ଏର୍ଡୋଗାନ ଓ ପୁତିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା।

ପରିଣତି ସ୍ୱରୂପ ଆଗାମୀ ଦିନରେ ତୁର୍କୀ, ଇରାନ ଓ ରୁଷ ମଧ୍ୟରେ ତ୍ରିରାଷ୍ଟ୍ରୀୟ ଆଲୋଚନା ଅନୁଷ୍ଠିତ ହେବାକୁ ଯାଉଛି। ଆଲୋଚନାର ଚୂଡ଼ାନ୍ତ ରୂପରେଖ ପ୍ରକାଶ ପାଇବା ପରେ ସିରିଆର ଉତ୍ତର-ପୂର୍ବାଞ୍ଚଳରୁ ତୁରନ୍ତ ଯୁକ୍ତରାଷ୍ଟ୍ର ଆମେରିକା ସେନା ଅପସାରିତ ହେବେ ବୋଲି ଇରାନ ରାଷ୍ଟ୍ରପତି ରୌହାନୀ କହିଛନ୍ତି। ସିରିଆରୁ ସେନା ପ୍ରତ୍ୟାହାର କରିବା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତବର୍ଷ ଘୋଷଣା କରିଥିଲେ। ଟ୍ରମ୍ପଙ୍କ ତତ୍କାଳୀନ ଘୋଷଣାକୁ ତୁର୍କୀ ଓ ଇରାନ ସମର୍ଥନ କରିଥିଲେ। ସିରିଆରୁ ଆମେରିକା ସେନା ଅପସାରଣ ନହେବା ପର୍ଯ୍ୟନ୍ତ ଶାନ୍ତି ପ୍ରତିଷ୍ଠା ହେବା ଅସମ୍ଭବ ବୋଲି ଇରାନ କହିଛି।

ସିରିଆର ଇଡଲିବର ଭାଗ୍ୟ ନିର୍ଦ୍ଧାରଣ ପାଇଁ ତିନି ରାଷ୍ଟ୍ରମୁଖ୍ୟ ଏକଜୁଟ ହେବେ। ସିରିଆର ଉତ୍ତର-ପୂର୍ବାଞ୍ଚଳରେ ପ୍ରବାହିତ ୟୁଫ୍ରେଟିସ ନଦୀ ଅବବାହିକାରେ ଚାଲିଥିବା ଅଶାନ୍ତ ପରିସ୍ଥିତିର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। କାରଣ ସିରିଆସେନାଙ୍କ ଆକ୍ରମଣରେ ଲହୁଲୁହାଣ ହୋଇ ନିରୀହ ଲୋକମାନେ ସୀମା ପାର ହୋଇ ତୁର୍କୀକୁ ପଳାୟନ କରୁଛନ୍ତି। ଫଳରେ ସେଠାରେ ଅଣାୟତ୍ତ ପରିସ୍ଥିତି ଉପୁଜୁଛି। ଅନୁପ୍ରବେଶକାରୀଙ୍କ ପେଟପାଟଣା, ଥଇଥାନ ଓ ସାମାଜିକ ସମସ୍ୟା ତୁର୍କୀ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି। ସିରିଆରେ ଶାନ୍ତି ଅବସ୍ଥା ଫେରାଇ ଆଣିବା ଦିଗରେ ତିନି ରାଷ୍ଟ୍ରମୁଖ୍ୟଙ୍କ ମିଳିତ ନିଷ୍ପତ୍ତି ଜରୁରୀ ବୋଲି ତୁର୍କୀ କହିଛି।